ପୁଣି ଚମକାଇଦେଲେ ମୋଦି । ନମ୍ବର ଥ୍ରୀରେ ଶପଥ ନେଇଥିବା ଶାହା ହେଲେ ନମୋଙ୍କ ମନ୍ତ୍ରୀମଣ୍ଡଳରେ ନମ୍ବର ଟୁ

ରାଜନାଥ ପ୍ରତିରକ୍ଷା ଓ ନୀତିନ ଗଡକରୀ ହେଲେ ସଡକ ପରିବହନ ମନ୍ତ୍ରୀ; ନିର୍ମଳା ସୀତାରମଣଙ୍କୁ ମିଳିଲା ଅର୍ଥ ମନ୍ତ୍ରୀ ପଦ

254

କନକ ବ୍ୟୁରୋ: ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ବିଭାଗ ବଂଟନ ହୋଇଛି । ଆଉ ସବୁ ନିଷ୍ପତି ଭଳି ଏଥର ବି ମୋଦି ସମସ୍ତଙ୍କୁ ଚମକାଇଦେଲା ଭଳି ନିଷ୍ପତି ନେଇଛନ୍ତି । ନମ୍ବର ଟୁ ଅମିତ ଶାହାଙ୍କୁ ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଭାର ଦିଆଯାଇଛି । ବିଜେପିର ବରିଷ୍ଠ ନେତା ରାଜନାଥ ସିଂହଙ୍କ ହାତରୁ ଦେଶର ବଡ ତଥା ଗୃହ ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଖସି ଯାଇ ଅମିତ ଶାହାଙ୍କ ଭାଗରେ ପଡିଛି । ଆଜି ଆସିଥିବା ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ବଂଟନରେ ରାଜନାଥ ସିଂହଙ୍କ ସ୍ଥାନରେ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଭାର ଅର୍ପଣ କରିଛନ୍ତି । ଗୃହ ମନ୍ତ୍ରାଳୟ ସଂପର୍କରେ କୁହାଯାଉଥିଲା କି, ଏହି ମନ୍ତ୍ରାଳୟର ଦାୟିତ୍ୱ ମିଳିବାର ଅର୍ଥ ହେଲା ସରକାରରେ ଦୁଇ ନମ୍ବରରେ ସ୍ଥାନ ହାସଲ କରିବା । ଏପରି ତ ମନ୍ତ୍ରୀମାନଙ୍କ ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ପରେ ରାଜନାଥ ସିଂହଙ୍କର ହିଁ ନାଁ ରହିଥିଲା କିନ୍ତୁ ତାଙ୍କୁ ସବୁଠୁ ଶକ୍ତିଶାଳୀ କୁହାଯାଉଥିବା ଗୃହ ମନ୍ତ୍ରାଳୟ ପରିବର୍ତ୍ତେ ପ୍ରତିରକ୍ଷା ମନ୍ତ୍ରାଳୟ ମିଳିଛି ।

ଖାସ କଥା ହେଲା କି, ଗତକାଲି ନବନିର୍ବାଚିତ ମନ୍ତ୍ରୀମାନଙ୍କର ଶପଥ ସମାରୋହରେ ଶପଥ ଗ୍ରହଣ ପାଇଁ ଯେଉଁ କ୍ରମରେ ମନ୍ତ୍ରୀମାନଙ୍କର ନାଁ ଘୋଷଣା କରାଯାଉଥିଲା, ସେଥିରେ ଅମିତ ଶାହାଙ୍କ ନାଁ ତୃତୀୟ ନମ୍ବରରେ ରହିଥିଲା । ଅର୍ଥାତ୍ ଦୁଇ ଜଣଙ୍କ ପରେ ତୃତୀୟ ନମ୍ବରରେ ଅମିତ ଶାହା ମଂଚରେ ଆସି ଶପଥ ପାଠ କରିଥିଲେ । ରାଜନାଥ ସିଂହ ୨୦୧୪ ଭଳି ଚଳିତ ଥର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣର ତୁରନ୍ତ ବାଦେ ପଦ ଏବଂ ଗୋପନୀୟତା ଶପଥ ଗ୍ରହଣ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା କି, ରାଜନାଙ୍କୁ ଏଥର ବି ମୋଦି ଗୃହ ମନ୍ତ୍ରଳାୟର ଭାର ଦେଇପାରନ୍ତି । ସେହିପରି ଅମିତ ଶାହା ତୃତୀୟ ସ୍ଥାନରେ ଶପଥ ନେଇଥିଲେ, ଯେଉଁ କାରଣରୁ ତାଙ୍କୁ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ମିଳିପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ଯେତେବେଳେ ମନ୍ତ୍ରାଳୟ ବଂଟନ ହୋଇଥିଲା ଆଉ କାହାକୁ କେଉଁ ମନ୍ତ୍ରାଳୟ ଦିଆଯିବା ନେଇ ସ୍ପଷ୍ଟ ହୋଇଥିଲା । ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା । କାହିଁକି ନା ଶପଥ ଗ୍ରହଣ ସମୟରେ ଶାହାଙ୍କ ପୋଜିସନ ତୃତୀୟ ନମ୍ବରରେ ଥିଲା ସତ କିନ୍ତୁ ସରକାରରେ ଶାହା ୨ ନମ୍ବରରେ ରହିଛନ୍ତି ।

ଅନ୍ୟପଟେ, ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ଓ ନୀତିନ ଗଡକରୀ ସଡକ ପରିବହନ ମନ୍ତ୍ରୀ ହୋଇଛନ୍ତି । ମୋଦିଙ୍କ ପୁରୁଣା ମନ୍ତ୍ରୀମଣ୍ଡଳରେ ପ୍ରତିରକ୍ଷା ଦାୟିତ୍ୱରେ ଥିବା ନିର୍ମଳା ସୀତାରମଣଙ୍କୁ ଏଥର ଅର୍ଥ ବିଭାଗ ମିଳିଛି । ସେପଟେ ଦ୍ୱିତୀୟ ଇନିଂସରେ ପ୍ରଧାନମନ୍ତ୍ରୀ ନିଜ ପାଖରେ ଏକାଧିକ ବିଭାଗ ରଖିଛନ୍ତି । ପେନସନ, ଆଣବିକ ଶକ୍ତି ଓ ସାଧାରଣ ଅଭିଯୋଗ ଶୁଣାଣୀ ବିଭାଗ ମୋଦିଙ୍କ ନିକଟରେ ରହିଛି । ଗତଥର ବୈଦେଶିକ ବ୍ୟାପାର ବିଭାଗ ଦାୟିତ୍ୱରେ ଥିବା ସୁଷମା ସ୍ୱରାଜଙ୍କ ସ୍ଥାନରେ ପୂର୍ବତନ ବୈଦେଶିକ ସଚିବ ଏସ. ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋଇଛନ୍ତି ।