୨୦ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ବିଜେଡିକୁ ବିଜେପିର ୨୦ଟି ପ୍ରଶ୍ନ । ଚିଟଫଣ୍ଡ,ଖଣି ଦୁର୍ନୀତି,ଚାଷୀ ସମସ୍ୟା ଉପରେ ଜବାବ ଦେବାକୁ ଆହ୍ୱାନ

39

କନକ ବ୍ୟୁରୋ : ଓଡିଶାକୁ ଶାସନ କରୁଥିବା ବିଜେଡି ଆସନ୍ତାକାଲି ପାଳିବ ୨୦ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ଦଳ ପକ୍ଷରୁ ବ୍ୟପକ ପ୍ରସ୍ତୁତି ଚାଲିଥିବା ବେଳେ ବିଜେପି ଛାଡିଛି ମାରଣାସ୍ତ୍ର । ଗେରୁଆ ଦଳର ପ୍ରଶ୍ନବାଣ ବିଜେଡି ଶିବିରରେ ଚିନ୍ତା ବଢାଇଦେଇଛି । ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ପଚାରିଛି ୨୦ଟି ପ୍ରଶ୍ନ । ତା ସହ ଦଳ ଦାବି କରିଛି ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ । ରାଜ୍ୟର ପ୍ରମୁଖ ୨୦ଟି ସମସ୍ୟାକୁ ନେଇ ଦଳ ପ୍ରଶ୍ନ କରିଛି । ଚିଟଫଣ୍ଡ,ଖଣି ଦୁର୍ନୀତି,ଚାଷୀ ସମସ୍ୟା,ସ୍ୱାସ୍ଥ୍ୟ,ଶିକ୍ଷା,ସଡ଼କ,ବିଜୁଳି,ଜଳସେଚନ,ମହିଳା, ଯୁବକ,ଆଦିବାସୀଙ୍କ ସମସ୍ୟା ନେଇ ପ୍ରଶ୍ନର ଜବାବ ଦେବାକୁ ଆହ୍ୱାନ ଦେଇଛି ବିଜେପି । ତା ସହ ବିଜେପି କହିଛି ଏହା ଦଳର ପ୍ରଶ୍ନ ନୁହେଁ ଏହା ଚାରିକୋଟି ଓଡିଆଙ୍କ ପ୍ରଶ୍ନ । ଯଦି ଓଡିଶାର ସୁଶାସନ ପାଇଁ ପ୍ରତିବଦ୍ଧତା ଥାଏ ତେବେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପ୍ରତିଷ୍ଠା ଦିବସକୁ ଯିବା ପୂର୍ବରୁ ଉତ୍ତର ରଖନ୍ତୁ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

କର୍ପସ ଫଣ୍ଡ ଗଲା କୁଆଡେ ? ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ କେବେ ମିଳିବ ଟଙ୍କା

ଖଣି ଦୁର୍ନୀତିର ସ୍ଥିତି କ’ଣ ? ଫାଇନ ଆଦାୟ କେବେ ହେବ ।

ଫସଲ ହାନୀ ଓ ଚାଷୀ ଆତ୍ମହତ୍ୟା ପରିବାରକୁ କେବେ ମିଳିବ କ୍ଷତିପୂରଣ ?

ମଂଡି କେବେଠୁ କାମ କରିବ ? କେନ୍ଦ୍ର ସରକାର ଧାର୍ଯ୍ୟକରିଥିବା ଏମଏସପି ଚାଷୀଙ୍କୁ କେବେ ମିଳିବ ?

ନକଲି ବିହନ ବିକୁଥିବା ଲୋକଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ?

ଓଡିଶାରେ କାହିଁକି ହୋଇନାହିଁ କୃଷି କମିଶନ ?

ଏହିଭଳି ୨୦ଟି ପ୍ରଶ୍ନ ବିଜେଡିକୁ ପଚାରିଛି ବିଜେପି ।

ସେପଟେ ବୁଲେଇ ବଙ୍କେଇ ଉତ୍ତର ରଖିଛନ୍ତି ବିଜେଡିର ସାଂସଦ ତଥା ବରିଷ୍ଠ ନେତା ପ୍ରତାପ ଦେବ । ସେ କହିଛନ୍ତି କେନ୍ଦ୍ରରେ ରହିଛି ବିଜେପି ସରକାର । ଯାହା ଚାହିଁବେ ସେଇଆ କରିପାରିବେ । ସେମାନେ କ’ଣ କରିଛନ୍ତି ବୋଲି କହିଛନ୍ତି ପ୍ରତାପ । ଓଡିଶାର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ହାର ବଢିଥିବା ସେ କହିଛନ୍ତି । ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି । ଆମକୁ ପ୍ରଶ୍ନ ନପଚାରି ତ ନିଜର ଆତ୍ମସମୀକ୍ଷା କରିବା ଉଚିତ ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଦେବ ।