ପଦ୍ମ ଧରିଲେ ଦାମ, ପଦାରେ ପଡିଲା ବିଜେପିର ଅସଲ ଚେହେରା! ବିଜେଡି କହିଲା, ଯେଉଁ ଦଳ କାଲି ଦାମଙ୍କୁ ବିରୋଧ କରୁଥିଲା ଆଜି କୋଳେଇ ନେଲା କିପରି? 

612

କନକ ବ୍ୟୁରୋ : ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ଦାମୋଦର ରାଉତ । ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି  ପାରାଦୀପ ବିଧାୟକ । ବିଜେଡିରୁ ବହିଷ୍କାର ହେବାର ଠିକ୍ ୬ ମାସ ପରେ ଗେରୁଆ କ୍ୟାମ୍ପରେ ଏଣ୍ଟ୍ରି ମାରିଛନ୍ତି ଦାମ । ତେବେ ଦାମଙ୍କ ବିଜେପିରେ ଯୋଗଦାନକୁ ନେଇ ବିଜେଡି କଡା ପ୍ରତିକ୍ରିୟା ରଖିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଦାମ ରାଉତଙ୍କ ମହିଳା ବିରୋଧୀ ଓ ଜାତିଆଣ ମନ୍ତବ୍ୟ ନେଇ ଯେଉଁ ଦଳ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଥିଲେ, ଆଜି ସେମାନେ ତାଙ୍କୁ କୋଳେଇ ନେବା ବିଜେପିର ନୈତିକତାକୁ ପଦାରେ ପକାଇଛି ।

ବିଜେଡିରେ ଥିବା ବେଳେ ବିବାଦୀୟ ତୁଣ୍ଡ ପାଇଁ ଦାମଙ୍କୁ ଅନେକ ଥର ମନ୍ତ୍ରୀପଦରୁ ବାଦ୍ ଦିଆଯାଇଛି । ଏପରିକି ସ୍ୱାମୀ ଛାଡି ଅଙ୍ଗନବାଡି ମନ୍ତବ୍ୟ ଦେବା ପରେ ଦାମଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେପି । ଏପରିକି ଦାମ ମଧ୍ୟ ବିଜେପିକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ କଟାକ୍ଷ କରି ଆସିଛନ୍ତି । ଏହାପରେ ବ୍ରାହ୍ମଣଙ୍କ ଉଦ୍ଦେଶ୍ୟରେ ଜାତିଆଣ ମନ୍ତବ୍ୟ ଦେଇ ବିବାଦ ଘେରକୁ ଟାଣି ହୋଇ ଆସିଥିଲେ ଦାମ  । ଏଥିପାଇଁ ଉଭୟ କଂଗ୍ରେସ ଓ ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲେ । ଯେଉଁଥିପାଇଁ ଦାମଙ୍କୁ ପରବର୍ତ୍ତୀ ସମୟରେ ବହୁମୂଲ୍ୟ ମଧ୍ୟ ଦେବାକୁ ପଡିଥିଲା ।

ବିବାଦୀୟ ତୁଣ୍ଡ ପାଇଁ ଦାମଙ୍କୁ ଦଳରୁ ବିଦା ହେବାକୁ ପଡିଥିଲା । କିନ୍ତୁ ଦଳରୁ ବିଦା ହେବାର ୬ ମାସ ପରେ ଏବେ ପଦ୍ମ ପୋଖରୀରେ ଏଣ୍ଟ୍ରି ମାରିଛନ୍ତି ଦାମ  । ସବୁଠୁ ବଡ କଥା ହେଲା, ମହିଳା ବିରୋଧୀ  ଓ ଜାତିଆଣ ମନ୍ତବ୍ୟ ପାଇଁ ଯେଉଁ ବିଜେପି ଦାମଙ୍କୁ ବିରୋଧରେ ପ୍ରତିବାଦ କରି ଆସୁଥିଲା ଏବେ ନିର୍ବାଚନ ପୂର୍ବରୁ ଦାମଙ୍କୁ କୋଳାଇ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁଠି ବିଜେଡି ମହିଳା ବିରୋଧୀ ଓ ଜାତିଆଣ ମନ୍ତବ୍ୟ ପାଇଁ ଦାମଙ୍କୁ ଦଳରୁ ବାହାର କଲା ସେଭଳି ସ୍ଥଳେ ଦାମଙ୍କୁ ଦଳରେ ସାମିଲ କରି ବିଜେପି ନିଜର ଅସଲ ଚେହେରା ପଦାରେ ପକାଇଛି ।