ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ପରେ ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କଲା ବିଜେଡି ! ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱର ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

39

କନକ ବ୍ୟୁରୋ : ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରି ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିବାବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁଙ୍କୁ ସମର୍ଥନ କରିପାରେ କିମ୍ବା ଭୋଟଦାନରୁ ବିରତ ରହିପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏସବୁ କଳ୍ପନାଜଳ୍ପନା ଭିତରେ ନବୀନ ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ରାଜନୈତିକ ସ୍ତରରେ ନବୀନ ପଟ୍ଟନାୟକ ଏକ ସନ୍ଦେଶ ଦେବାକୁ ଚାହିଁଛନ୍ତି । ଚର୍ଚ୍ଚା ହେଉଛି , ଏଭଳି ନିଷ୍ପତି ନେଇ ବିଜେଡି ବିଜେପି-କଂଗ୍ରେସଠାରୁ ସମଦୂରତ୍ୱ ଚାହେଁ । ବିଜେପି ଆଡକୁ ଢଳୁଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ବି ଠିକ ନୁହେଁ ବୋଲି ଦର୍ଶାଇବାକୁ ଚାହିଁଛନ୍ତି ନବୀନ । ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରି ସେ ଏକପ୍ରକାର କହିବାକୁ ଚାହିଁଛନ୍ତି ଯେ, ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧିରେ ବିଜେଡି ଭୟଭୀତ ନୁହେଁ । ଏକାକୀ ଭାବେ ରାଜ୍ୟରେ ଦମ୍ ଦେଖାଇବାକୁ ବିଜେଡି ପ୍ରସ୍ତୁତ ।

ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ମଧ୍ୟ ସେ ଏହାଦ୍ୱାରା କଡା ଜବାବ ଦେଇଛନ୍ତି । ଗତକାଲି ଭେଙ୍କେୟାଙ୍କ ସମର୍ଥନରେ ବାହାରିଥିଲେ ବୈଜୟନ୍ତ । ଏହି ନିଷ୍ପତି ଦ୍ୱାରା ସେ ଜଣାଇବାକୁ ଚାହାନ୍ତି ଯେ, ସୁପ୍ରିମୋଙ୍କ ନିଷ୍ପତି ହିଁ ଶେଷ ନିଷ୍ପତି । ରାଷ୍ଟ୍ରପତି ପଦ ପାଇଁ ଏନଡିଏକୁ ସମର୍ଥନ କରିଥିବା ବିଜେଡି ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳ ପ୍ରାର୍ଥୀଙ୍କୁ ସମର୍ଥନ କରିଛି । ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧିଙ୍କୁ ବିଜେଡି ସମର୍ଥନ କରୁଛି ।

ଏନେଇ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୨ରେ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କରିଥିଲେ ମହାତ୍ମା ଗାନ୍ଧିଙ୍କ ନାତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳ କୃଷ୍ଣ ଗାନ୍ଧି । ୟୁପିଏ ଉପରାଷ୍ଟ୍ରପତି ପ୍ରାଥୀଙ୍କୁ ଗୋପାଳକୃଷ୍ଣଙ୍କୁ ନବୀନଙ୍କ ସମର୍ଥନ ନିଷ୍ପତିକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସ୍ୱାଗତ କରିଛନ୍ତି ।

ନବୀନ ଖାଲି କଥାରେ ସମଦୂରତା ରଖୁଛନ୍ତି, କିନ୍ତୁ କାର୍ଯ୍ୟରେ ନୁହେଁ । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରି ପାପ କରିଥିଲେ, ଏହା ତାକୁ ଧୋଇପାରିବ ନାହିଁ ବୋଲି ନରସିଂହ କହିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟନାୟକ ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ।

ଗୋପାଳକୃଷ୍ଣ ଗାନ୍ଧିଙ୍କୁ ନବୀନଙ୍କ ସମର୍ଥନ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଭେଙ୍କେୟାଙ୍କ ସମର୍ଥନ ପାଇଁ ସବୁ ବିରୋଧୀ ଦଳକୁ ଅନୁରୋଧ କରିଥିଲେ । ତେବେ ନବୀନଙ୍କ ଏହା ରାଜନୈତିକ ନିଷ୍ପତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେପଟେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ଜଣେ ଦେଶଦ୍ରୋହୀଙ୍କୁ ସମର୍ଥନ କରି କି ପ୍ରକାର ଦେଶ ଭକ୍ତି ପରିଚୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ଆଶାବାଡି କଂଗ୍ରେସ । ତେବେ ବିଜେଡି ସମର୍ଥନ ନକଲେ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନ ଏନଡିଏ ପ୍ରାର୍ଥୀଙ୍କ ବିଜୟ ଉପରେ କୌଣସି ପ୍ରଭାବ ପଡିବନି ।