କେନ୍ଦ୍ର ସରକାରଙ୍କ ଛାତ୍ର ମାରଣ ନୀତିକୁ ବିରୋଧ ! ଆଜିଠାରୁ ଦସ୍ତଖତ ଅଭିଯାନ ଆରମ୍ଭ କରିବ ଛାତ୍ର ବିଜେଡ଼ି

151

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଛାତ୍ର ମାରଣ ନୀତି ବିରୋଧରେ ଆଜିଠାରୁ ଦସ୍ତଖତ ଅଭିଯାନ ଆରମ୍ଭ କରିବ ଛାତ୍ର ବିଜେଡି । ଉଚ୍ଚଶିକ୍ଷା ପାଇଁ ଅନୂସୂଚିତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମୋଧାବୃତିରେ କେନ୍ଦ୍ରର ଅର୍ଥକାଟ ନୀତିକୁ ବିରୋଧ କରିଛି ଛାତ୍ର ବିଜେଡି । ଏହା ପ୍ରତିବାଦରେ ଛାତ୍ର ବିଜେଡି ଏବଂ ଯୁବ ବିଜେଡି ପକ୍ଷରୁ ଆଜି ଭୁବନେଶ୍ୱର ଲୋୟର ପିଏମ୍ଜିଠାରେ ଏକ ସାମୂହିତ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ । ରାଜ୍ୟର ୩୦ଟି ଜିଲ୍ଲା ବୁଲି ଦସ୍ତଖତ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ବିଭିନ୍ନ କୋଣରୁ ପ୍ରାୟ ୧୦ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ଏହାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ପଠାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର ବିଜେଡି ଏବଂ ଯୁବ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଆସନ୍ତା ୮ ତାରିଖରେ ସଂସଦ ଘେରାଉ କରିବ ବିଜୁ ଜନତା ଦଳ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ ଶହ ୩୦ଟଙ୍କା କରିବା ନେଇ ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଏହାର ପ୍ରତିବାଦ କରିବ ବିଜେଡି । ୨୦୧୪ ମସିହାରୁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡିଶାର ଚାଷୀଙ୍କୁ ହତାଦର କରିଆସୁଥିବାରୁ ଏହାର ପ୍ରତିବାଦ କରିବ ବିଜେଡି । ଆସନ୍ତାକାଲି ଏକ ସ୍ୱତନ୍ତ୍ର ରେଳ ଯୋଗେ ବିଜେଡି ସାଂସଦ, ବିଧାୟକ, ବିଜୁ ଯୁବ, ଛାତ୍ର, ମହିଳା, ଜିଲ୍ଲା ସଭାପତି ପ୍ରମୁଖ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ରାଷ୍ଟ୍ରପତିଙ୍କୁ ଏନେଇ ଦଳ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯିବ । ସେହିପରି ବିଧାନସଭାରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ରେଳ ଯାତ୍ରା ଆରମ୍ଭ ହେବ ବୋଲି ବିଜୁ କୃଷକ ଜନତା ଦଳର ମହାସଚିବ ପ୍ରତାପ ଜେନା ସୂଚନା ଦେଇଛନ୍ତି ।