ଦିଲ୍ଲୀରେ ବିଜେଡିର କୃଷକ ସମାବେଶ । ଏମଏସପି ବୃଦ୍ଧି ପ୍ରସଙ୍ଗରେ ଦିଲ୍ଲୀ ଦରବାରରେ ବିଜେଡିର ବିକ୍ଷୋଭ

88

କନକ ବ୍ୟୁରୋ:  ଚାଷୀ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି । ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆଜି ଦିଲ୍ଲୀ ଦରବାରରେ ବିଶାଳ ସମାବେଶ କରିଛି ବିଜେଡ଼ି । ଆଉ ବିଜେଡ଼ିର ଏହି ବିଶାଳ ସମାବେଶର ମଙ୍ଗ ଧରିଛନ୍ତି ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଚାଷୀଙ୍କ ହକ ପାଇଁ ଦିଲ୍ଲୀ ଦରବାରରେ ବିକ୍ଷୋଭ କରିଛନ୍ତି ବିଜେଡି ସମସ୍ତ ବିଧାୟକ ଓ ସାଂସଦମାନେ । ତେବେ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ।  ଏବଂ ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯିବ ।

ଦିଲ୍ଲୀର ତାଲକୋଟରା ଷ୍ଟାଡିୟମ ଠାରେ ହଜାର ହଜାର ବିଜେଡି ସମର୍ଥକଳ ଦଳୀୟ କର୍ମୀ, ବିଧାୟକ, ସାଂସଦ ଓ ସଙ୍ଗଠନ ଦାୟିତ୍ୱରେ ଥିବା ଅଧିକାରୀମାନେ ଏକାଠି ହୋଇଛନ୍ତି। ଆଉ ଏହାର ନେତୃତ୍ୱ ନେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଶାଳ କୃଷକ ଅଧିକାର ସମାବେଶରେ ଯୋଗ ଦେଇ ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର୨୦୧୪ ମସିହା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମୂତାବକ ଧାନର ସହାୟକ ମୂଲ୍ୟ ବୃଦ୍ଧି ନ କରି ରାଜ୍ୟର ଲକ୍ଷଲକ୍ଷ ଚାଷୀଙ୍କ ସହିତ ପ୍ରତାରଣା କରିଛନ୍ତିି।

୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ମୋଦି ସରକାର ଏମଏସପି ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ସହିତ ବାରମ୍ବାର ଆଲୋଚନା ଏବଂ ଚିଠି ଲେଖାଯାଇଛି। କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଚୁପ୍‌ ବସିଛନ୍ତି । ତେଣୁ ଦିଲ୍ଲୀରେ ଆଜି କୃଷକଙ୍କ ହକ୍‌ ପାଇଁ ବିଶାଳ ସମାବେଶ କରି ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରାଯିବ। ତେବେ ଅପରାହ୍ଣ ୫ଟାରେ ଧାନର ସର୍ବନିମ୍ନ ସହ୍ରକ ମୂଲ୍ୟ ୨୯୫୦ ଟଙ୍କା କରିବା ନେଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ ପାଇଁ ସମୟ ଧାର‌୍ୟ୍ୟ ହୋଇଥିବା ବେଳେ ସକାଳ ସାଢ଼େ ୧୧ଟା ଠାରୁ ତାଲକୋଟରା ଷ୍ଟାଡିୟମ ଠାରେ ହଜାର ହଜାର କୃଷକ ଏକତ୍ରୀତ ହୋଇଛନ୍ତି। ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂତ୍ତିରେ ପୁଷ୍ପାଞ୍ଜଳି ଦିଆଯାଇ ଏହି କାର‌୍ୟ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଛି।

ସେପଟେ,  ଦିଲ୍ଲୀରେ ବିଜେଡି କେନ୍ଦ୍ର ବିରୋଧରେ ରଣହୁଙ୍କାର ହେଉଥିବା ବେଳେ ରାଜ୍ୟରେ ଗର୍ଜିଛି ବିଜେପି । ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସଚିବାଳୟ ଘେରିଛି ବିଜେପି କୃଷକ ମୋର୍ଚ୍ଚା । ନିର୍ଦ୍ଧାରିତ ମୂଲ୍ୟ ଦେଇ ଧାନ ମଣ୍ଡିରୁ ସରକାର ଧାନ କିଣି ପାରୁ ନାହାଁନ୍ତି ବୋଲି ବିଜେପି ଦାବି କରିଛି । ଏହା ସହ ଦିଲ୍ଲୀରେ ବିଜେଡିର ପ୍ରତିବାଦକୁ ସମାଲୋଚନା କରିଛି ଦଳ ।