ରାଜଧାନୀରେ ଯାଜପୁର ରାଜନୀତି : ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ସଂଗଠନର ସମୀକ୍ଷା, ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବେ ନବୀନ

46

କନକ ବ୍ୟୁରୋ : ରାଜଧାନୀରେ ଯାଜପୁର ରାଜନୀତିର ହାଇପ୍ରୋଫାଇଲ ଡ୍ରାମା । ଯାଜପୁର ଜିଲ୍ଲାର ବିଜେଡି ସମର୍ଥିତ ଓ ବିଦ୍ରୋହୀ ନବ ନିର୍ବାଚିତ ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଏକାଠି ହୋଇଛନ୍ତି ଦଳୀୟ କାର୍ଯ୍ୟାଳୟରେ । ଯାଜପୁର ଜିଲ୍ଲା ସଂଗଠନର ସମୀକ୍ଷା ବୈଠକ ଆରମ୍ଭ ହୋଇଛି । ସମୀକ୍ଷା ବୈଠକରେ ସାମିଲ ହୋଇଛନ୍ତି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରୀ ଅରୁଣ ସାହୁ, ଅଶୋକ ପଣ୍ଡା, ବିଧାୟକ ଦେବାଶିଷ ସାମନ୍ତରାୟ, ଦେବାଶିଷ ନାୟକ ଓ ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର ପ୍ରମୁଖ ଯୋଗ ଦେଇ ପଂଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନର ସମୀକ୍ଷା କରୁଛନ୍ତି । ଦଳୀୟ ସଂଗଠନକୁ କିପରି ତୃଣମୂଳ ସ୍ତରରୁ ଦୃଢ କରାଯିବ, ସେ ନେଇ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅନ୍ୟପଟେ ଶାସକ ଦଳକୁ ଚକମା ଦେବାକୁ ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ଅନୁରୂପ ସମାବେଶ କରୁଛି ବିଜେପି । ଏଥିରେ ଯାଜପୁର ଜିଲ୍ଲାରୁ ବିଜେଡିର ଅସନ୍ତୁଷ୍ଟ ନେତା ଓ କଂଗ୍ରେସ ନେତା ଦଳ ତ୍ୟାଗ କରି ବିଜେପିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ବିଜେପି କାର୍ଯ୍ୟାଳୟରେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେବା ନେଇ ଚୂଡାନ୍ତ ହୋଇଛି । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପୂର୍ବରୁ ଭୁବନେଶ୍ୱରରେ ଯାଜପୁର ଜିଲ୍ଲା ବିଜେପିର ଶକ୍ତି ପ୍ରଦର୍ଶନ ଯୋଜନା, ଶାସକ ଦଳ ସୁପ୍ରିମୋଙ୍କୁ ଚ୍ୟାଲେଂଜ ପରି ହୋଇଛି ।