ନିର୍ବାଚନ ସଭାରେ ନବୀନଙ୍କ ବଡ଼ ଘୋଷଣା: କହିଲେ, ସରକାର ଗଠନର ପ୍ରଥମ ଦିନରେ ହିଁ ୨୫ ଲକ୍ଷ ଚାଷୀଙ୍କୁ ମିଳିବ ୧୦ ହଜାର ଟଙ୍କା

ଅଟକି ରହିଥିବା କାଳିଆ ଟଙ୍କାକୁ ଏକାସାଂଗେ ଦେବାକୁ କହିଲେ ନବୀନ;ସେପଟେ ଦିଲ୍ଲୀରେ ନିର୍ବାଚନ କମିସନଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ

327

କନକ ବ୍ୟୁରୋ: ଜୟପୁରଠାରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । ଦଳ ବିଜୟୀ ହେଲେ ପ୍ରଥମ ଦିନ ହିଁ କାଳିଆ ଟଙ୍କା ପାଇ ନଥିବା ୨୫ ଲକ୍ଷ ହିତାଧିକାରୀଙ୍କୁ ଦୁଇ କିସ୍ତିର ୧୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି । ସେପଟେ କାଳିଆ ଟଙ୍କାକୁ ବନ୍ଦ କରାଯିବା ନେଇ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।

ନିର୍ବାଚନୀ ସଭାରେ ନବୀନଙ୍କ ବଡ଼ ପ୍ରତିଶ୍ରୁତି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବକେୟା କାଳିଆ ଟଙ୍କା । ଜୟପୁର ନିର୍ବାଚନୀ ସଭାରେ ବିଜେଡି ଇସ୍ତାହାର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ତାଙ୍କ ଏଜେଣ୍ଡାରେ ଚାଷୀ ହେଉଛନ୍ତି ଏକ ନମ୍ବର । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଛନ୍ତି । ବିଜେଡି ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ ଲକ୍ଷ ଚାଷୀଙ୍କୁ ଦୁଇଟି କିିସ୍ତିର ୧୦ ହଜାର ଟଙ୍କା ଏକା ସାଙ୍ଗେ ମିଳିବ । ଏହାଛଡା ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ନବୀନ କହିଛନ୍ତି, ଫାଇଲିନ, ହୁଡହୁଡ, ତିତିଲି ବେଳେ ଆସିଲେ ନାହିଁ କିନ୍ତୁ ଭୋଟବେଳକୁ ଚାଲି ଆସିଲେ । ବିଜେପିର ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାହିଁକି ସାହାଯ୍ୟ କରିବା ପରିବର୍ତ୍ତେ ରାଜ୍ୟକୁ ଅଣଦେଖା କରାଯାଉଛି ବୋଲି କହି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ ।

ସେପଟେ କାଳିଆ ଯୋଜନା ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ଆଦର୍ଶ ଆଚରଣ ବିଧି ଆଳରେ ଅଟକା ଯାଉଥିବା ଅଭିଯୋଗ କରିଛି ବିଜେଡି । ଦିଲ୍ଲୀରେ ନିର୍ବାଚନ କମିସନଙ୍କୁ ଏ ନେଇ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧି ଦଳ ।ଗୋଟିଏ ପଟେ କାଳିଆ ଯୋଜନାକୁ ନଅଟକାଇବା ପାଇଁ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଥିବା ବେଳେ ଅନ୍ୟପଟେ ଜୟପୁର ନିର୍ବାଚନୀ ସଭାରେ କାଳିଆ ଯୋଜନାର ବକେୟା ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଛି । ଆଜି କୋରାପୁଟ ଓ ମାଲକାନଗିରିରେ ଜୋରଦାର ପ୍ରଚାର କରିଛନ୍ତି ନବୀନ । ଜୟପୁରରେ ନବୀନ କରିଛନ୍ତି ମେଗା ରୋଡସୋ’ ।

ନିର୍ବାଚନ ବେଳେ ସମସ୍ତେ ବଡ ବଡ କଥା କହିବେ କିନ୍ତୁ ନିର୍ବାଚନ ସରିବା ପରେ କାହାର ଦେଖା ମିଳିବ ନାହଁଁ କହିବା ସହ ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ । କିନ୍ତୁ ବିଜେଡି ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ସହ ରହିଛି । ଏହାସହ ତାଙ୍କୁ ପୁଣିଥରେ ଆର୍ଶୀବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟରକୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ।