କଲେଜ ନିର୍ବାଚନର ପ୍ରଭାବ ! ଛତ୍ରପୁରରେ ଗଡିଲା ମୁଣ୍ଡ, ବିଜେଡି ନେତାଙ୍କୁ ଘରେ ପଶି ହତ୍ୟାକଲେ ଦୁର୍ବୃତ୍ତ

32

କନକ ବ୍ୟୁରୋ : କଲେଜ ଇଲେକସନର ସଂଘାତିକ ପ୍ରଭାବ ଦେଖିବାକୁ ମିଳିଛି ଛତ୍ରପୁରରେ । ବିଜେଡି ନେତାଙ୍କ ଘରେ ପଶି ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସାରା ସହରରେ ଏହାକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ପୂର୍ବ ଶତ୍ରୁତାକୁ ଏବଂ କଲେଜ ଛାତ୍ର ନିର୍ବାଚନକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଘର ଭିତରେ ପଶି ଛତ୍ରପୁର ପୌର ପରିଷଦର ୬ ନମ୍ବର ୱାର୍ଡର ବିଜେଡି କାଉନସିଲରଙ୍କୁ ହାଣି ଦେଇଛନ୍ତି ଦୁର୍ବୃତ୍ତ । ବିଜେଡି କାଉନସିଲର ଲଷ୍ମୀଦତ ପ୍ରଧାନ ଘର ନିକଟରେ କିଛି କଲେଜ ଛାତ୍ରଙ୍କ ସହ ନିର୍ବାଚନ ସଂପର୍କରେ କଥା ହେଉଥିବା ବେଳେ ତାଙ୍କୁ ୩୦ରୁ ଅଧିକ ଯୁବକ ଅଚାନକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଛତ୍ରପୁର ବିଧାୟକ ଅଭିଯୋଗ କରିଛନ୍ତି ଯେ ନିକଟରେ ବିଜେପିରେ ମିଶିଥିବା କିଛି ନେତା ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ।

ମୃତ ଲକ୍ଷ୍ମୀଦତ ପ୍ରଧାନ ଗଂଜାମ ଜିଲ୍ଲାର ଜଣେ ଜଣାଶୁଣା ଛାତ୍ରନେତା । ସେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ରାଜ୍ୟ ଉପସଭାପତି ଥିଲେ । ଛତ୍ରପୁରର ବିଭିନ୍ନ କଲେଜର ଛାତ୍ର ସଂସଦ ନିର୍ବାଚନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଏହି ହତ୍ୟାକାଣ୍ଡ ପରେ ଗଂଜାମ ଜିଲ୍ଲାରେ ଛାତ୍ର ସଂସଦ ନିର୍ବାଚନରେ ଆହୁରି ହିଂସା ବ୍ୟାପିବା ଆଶଙ୍କା କରାଯାଉଛି ।