ନିରବମୁଦ୍ରାରେ ନିର୍ବାଚନ କମିଶନ୍ ! ଆଚରଣବିଧି ଉଲଙ୍ଘନ ନାଁରେ ଅଭିଯୋଗ ରାଜନୀତି

27

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠାରୁ ଆରମ୍ଭ ହୋଇଯାଇଛି ଆଚରଣ ଉଲ୍ଲଂଘନ ପାଲା । ଆଜି ତୃତୀୟ ଦିନରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ଦୁଇ ବିରୋଧୀ ରାଜନୈତିକ ଦଳ । ପ୍ରଚାର ପାଇଁ ଆଇନ୍ ଉଲ୍ଲଂଘନ କରି ବିଜେପି ଖବରକାଗଜରେ ରୀତିମତ ବିଜ୍ଞାପନ ଦେଉଥିବା ବିଜେଡି ପୁଣିଥରେ ଅଭିଯୋଗ କରିଛି ।

ପଞ୍ଚାୟତରେ ପ୍ରାର୍ଥୀ ଚୟନ ସରିନି । ହେଲେ ପ୍ରଚାରକୁ ନେଇ ଅଭିଯୋଗ ରାଜନୀତି ଜୋର ଧରିଛି । ରାତି ପାହିଲେ ଅଭିଯୋଗର ଚିଠା ଧରି ନେତା ପହଞ୍ଚୁଛନ୍ତି ନିର୍ବାଚନ କମିଶନଙ୍କ ଦପ୍ତରରେ । ବିଜେଡିର ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ନୂଆ ନୂଆ ବିଜ୍ଞାପନ ରୀତିମତ ଛପୁଛି ଖବରକାଗଜରେ । ଖୋଲାଖୋଲି ଆଚରଣ ବିଧି ଉଲଙ୍ଘନ କରି ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରଚାର ଚାଲିଛି ।

ସେପଟେ ବିଜେପି ବି ଟାର୍ଗେଟ କରିଛି ବିଜେଡିକୁ । ଆହାର, ନିରାମୟ ଭଳି ଚର୍ଚ୍ଚିତ ଯୋଜନାର ପ୍ରଚାର ପାଇଁ ଦଳ ଗାଁରୁ ସହର , ସବୁଠି ନୂଆ ନୂଆ ପୋଷ୍ଟର , ହୋର୍ଡିଂ ଲଗାଉଛି । ଏପରିକି ଏସବୁରେ ନବୀନଙ୍କ ଫଟୋ ଲଗାଯାଇଛି ।

ଅଭିଯୋଗକୁ ଗ୍ରହଣ କରି ଦେଇ କାହିଁକି ଚୁପ ବସିଛନ୍ତି ରାଜ୍ୟ ନିର୍ବାଚନ କମିଶନ ଅଧ୍ୟକ୍ଷ । ଆଚରଣ ଲଙ୍ଘନ କରୁଥିବା ଦଳ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ । ତିନିଦିନ ଧରି ଲଗାତର ଅଭିଯୋଗ ଆସିବା ପରେ ଏ ପ୍ରଶ୍ନ ଉଠିବା ସ୍ୱଭାବିକ ।

କୁହାଯାଉଛି, ସରକାରଙ୍କ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଏହି ପଦବୀବେ ବସିଥାଆନ୍ତି । ଯାହାଙ୍କ ପାଖରେ କ୍ଷମତା ଥାଏ , ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଇଚ୍ଛାଶକ୍ତିର ଅଭାବ ଥାଏ । ଏପରିକି କମିଶନ ରାଜନୀତିର ଯୁଦ୍ଧରେ ମୋହରା ସାଜିବାକେୁ ଚାହାନ୍ତି ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହୁଏ ।