ଓଟିଭିର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ବିଜେଡି ନେତା ! ଆଲୋଚନାକୁ ଯିବାକୁ କଲେ ମନା । ଓଟିଭି କହିଲା, ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ସର୍ବଦା ନିରପେକ୍ଷ ଖବର ପରିବେଷଣ କରି ଆସୁଛୁ

30

କନକ ବ୍ୟୁରୋ : ଓଟିଭିକୁ ବଏକଟ କଲା ବିଜୁ ଜନତା ଦଳ । ଦୀର୍ଘ ଦିନ ଧରି ଓଟିଭି ଓ ବିଜେଡି ଭିତରେ ଲାଗି ରହିଥିବା ଆରୋପ-ପ୍ରତ୍ୟାରୋପ ଭିତରେ ଆଜି ଏଭଳି ଘୋଷଣା କରିଛି ବିଜେଡି । ଓଟିଭି ପ୍ୟାନେଲ ଡିସକସନ ବେଳେ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛି ଶାସକ ଦଳ । ତେଣୁ ପ୍ୟାନେଲ ଡିସକସନରୁ ନିଜକୁ କ୍ଷାନ୍ତ ରଖିଲା ବିଜେଡି । ସାଂସଦଙ୍କ ବୈଜୟନ୍ତଙ୍କ ଚ୍ୟାନେଲ ହୋଇଥିବାରୁ ଏହା ସବୁ ବେଳେ ପକ୍ଷପାତିତା କରୁଛି । ଏହି ଚ୍ୟାନେଲରେ କେବଳ ଜଣେ ସାଂସଦଙ୍କ ଖବରକୁ ଗୁରୁତ୍ୱ ଦିଆଯାଉଛି ବୋଲି ବିଜେଡି ଅଭିଯୋଗ ଆଣିଛି। ପକ୍ଷପାତିତାରୁ ନିବୃତ୍ତ ରହିଲେ ପୁଣି ଡିସକସନକୁ ଫେରିବୁ ବୋଲି ବିଜେଡି କହିଛି।

ଏ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଓଟିଭି ନିରପେକ୍ଷ ଖବର ପରିବେଷଣ କରୁନାହିଁ। ସେ କହିଛନ୍ତି, ଏହି ଚ୍ୟାନେଲ ରାଜ୍ୟ ସରକାର ଓ ବିଜେଡିକୁ କାଠଗଡ଼ାରେ ଛିଡ଼ା କରିବାକୁ ଉଦ୍ୟମ କରୁଛି। ବିତର୍କ ସମୟରେ ବିଜେଡିକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ନାହିଁ। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଲମ୍ବନ ପରେ ଓଟିଭି ରାଜ୍ୟ ସରକାର ଓ ବିଜେଡିକୁ କାଠ ଗଡ଼ାରେ ଛିଡା କରିବାକୁ ଉଦ୍ୟମ କରୁଛି। ସେଥିପାଇଁ ଓଟିଭି ବିତର୍କ ଭିତ୍ତିକ କାର୍ୟ୍ୟକ୍ରମରୁ ବିଜେଡି ନିବୃତ୍ତ ରହିବ।

ଅନ୍ୟପକ୍ଷରେ ବିଜେଡିର ଅଭିଯୋଗ ଉପରେ ଓଟିଭି ସ୍ପଷ୍ଟୀକରଣ ରଖିଛି । ଓଟିଭି ସବୁବେଳେ ନିରପେକ୍ଷ ଭାବେ ଖବର ପ୍ରସାରଣ କରି ଆସିଛି । ଖବରର ସବୁ ଦିଗକୁ ତର୍ଜମା କରିବା ସହ ସବୁ ପକ୍ଷକୁ ନଜର ଦେଇଥାଉ ବୋଲି ଓଟିଭି କହିଛି । ଯେଉଁ ଖବର ପରିବେଷଣ କରାଯାଏ ସେଥିରେ କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ , ସରକାର କି ବିରୋଧୀ କାହାର ସ୍ୱାର୍ଥ ନୁହେଁ ବରଂ ଦର୍ଶକଙ୍କୁ ନିରପେକ୍ଷ ଖବର ଦେବାର ପ୍ରତିଶୃତି ହିଁ ସର୍ବାଗ୍ରେ ରହିଥାଏ ଓଟିଭି ପକ୍ଷରୁ କୁହାଯାଇଛି । ସେ ଦୃଷ୍ଟିରୁ ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ଅମୂଳକ ଓ ଗଣମାଧ୍ୟମର କଣ୍ଠରୋଧ ଲାଗି ଉଦ୍ୟମ ବୋଲି ପ୍ରମାଣିତ ହେଉଛି ।