ବିଜେଡି ନେତାଙ୍କୁ ସିବିଆଇ ନୋଟିସ ମାମଲାରେ ଅଭିଯୋଗ ଆଣିଲା ବିଜେଡି: ମୁଖପାତ୍ର କହିଲେ, ଅମିତ ଶାହା ଆସିଲେ, ସାଙ୍ଗରେ ଆସିଲା ସିବିଆଇ

ସେପଟେ ପୁଲିସ ସମନ ମାମଲାରେ ବିଜେପି କହିଲା, ରାଜନୈତିକ ଉଦେଶ୍ୟରେ ପୁଲିସକୁ କରାଯାଉଛି ବ୍ୟବହାର

133

କନକ ବ୍ୟୁରୋ: ଚିଟଫଣ୍ଡ ମାମଲାରେ ଦୁଇ ବିଧାୟକଙ୍କୁ ନୋଟିସ ଓ ଲକ୍ଷୀଦତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତାଙ୍କୁ ନୋଟିସ ମାମଲାରେ ମୁହଁ ଖୋଲିଛି ବିଜେଡି । ଦଳର ମୁଖପାତ୍ର ସମୀର ଦାସ କହିଛନ୍ତି, ଗତଥର ଅମିତ ଶାହା ଆସିଥିଲେ ସିବିଆଇ ନୋଟିସ ଆସିଥିଲା । ଏଥର ଆସିଲେ ନୋଟିସ ଆସିଲା । ସିବିଆଇ ପଞ୍ଜୁରୀ ଭିତରର ଶାରୀ । ସେହିଭଳି ଛତ୍ରପୁର ମାମଲାରେ ବିଜେଡି କହିଛି, ପୋଲିସ ପୂର୍ବରୁ ନୋଟିସ ଦେଇଥିଲା । ତଦନ୍ତ ଚାଲିଥିଲା । ସେଥିଲାଗି ନୋଟିସ ହୋଇଥିବ । ଏହା ଏକ ଚିରାଚରିତ କଥା । ଏଥିରେ ଯୋଡିବାର କିଛି କାରଣ ନାହିଁ ।

ସେପଟେ ବିଜେପି ବି ଆଜି ପ୍ରତିକ୍ରିୟା ରଖିଛି । ଦଳ କହିଛି, ଇର୍ଷା ପରାୟଣ ହୋଇ ରାଜନୈତିକ ଉଦ୍ଦେଶ୍ୟରେ ପୋଲିସକୁ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର । ଗୋଲକ ମହାପାତ୍ରଙ୍କୁ ପୂର୍ବରୁ ଛତ୍ରପୁର ପୋଲିସ ତଦନ୍ତ ପାଇଁ ନୋଟିସ କରିଥିଲା । ସେ ସହଯୋଗ କରିଥିଲେ ଓ କହିଥିଲେ ଦୋଷ ଥିଲେ ଗିରଫ କର । କିନ୍ତୁ ସେତେବେଳେ ନକରି ଏବେ ପୁଣି ନୋଟିସ କରିବା ରାଜନୈତିକ ଅଭିସନ୍ଧିମୂଳକ । ସେହିଭଳି ସିବିଆଇ ଏକ ସ୍ୱାଧୀନ ସଂସ୍ଥା । ସିବିଆଇ କାହାକୁ ଜଣାଇ ତଦନ୍ତ କରେନି । ତାଙ୍କ ନେତା ଆଗରୁ ଗିରଫ ହୋଇଛନ୍ତି । ଆମେ ଚାହୁଁଛୁ ଚିଟଫଣ୍ଡ କ୍ଷତିଗ୍ରସ୍ତ ତୁରନ୍ତ ତାଙ୍କ ଅର୍ଥ ଫେରସ୍ତ ପାଆନ୍ତୁ ।

ଅନ୍ୟପଟେ, ଛତ୍ରପୁର ପୂର୍ବତନ କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତାଙ୍କୁ ପୁଲିସର ନୋଟିସ ଘଟଣାରେ ଆଶ୍ଚଯ୍ୟ ପ୍ରକଟ କଲେ ଭୃଗୁ ବକ୍ସି ପାତ୍ରା । ହେଲେ ଏଯାଏଁ ନୋଟିସ ପାଇ ନଥିବା କହିଛନ୍ତି ଭୃଗୁ ବକ୍ସିପାତ୍ର । ସେ ଗଣମାଧ୍ୟମରୁ ଏନେଇ ଖବର ପାଇଛନ୍ତି । ଚାର୍ଜସିଟ୍ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ତାଙ୍କୁ ପୂର୍ବରୁ ପୁଲିସ ନୋଟିସ କରାଯାଇନଥିଲା । ରାଜ୍ୟ ସରକାର ରାଜନୈତିକ ଉଦେଶ୍ୟ ରଖି ଏଭଳି କରାଇଛନ୍ତି । ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଓଡିଶା ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ତେବେ ଚିଟଫଣ୍ଡ ଲିଙ୍କରେ ବିଜୁ ଜନତା ଦଳର ଦୁଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କୁ ସିବିଆଇ ନୋଟିସ ଜାରି କରିବା ପରେ ବଢିଛି ସନ୍ଦେହ । ଆଗରୁ କାହିଁକି ନିରବ୍ ଥିଲା ସିବିଆଇ? ନିର୍ବାଚନ ପାଖେଇ ଆସୁଥିବା ବେଳେ ସିବିଆଇର ଏହି ନୋଟିସ୍ ସନ୍ଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ । ବହୁ ଆଗରୁ ଏମିତି କରିବାର ଥିଲା । ଏହାସହ ଚିଟ୍ଫଣ୍ଡରେ ଓଡିଶାର ବହୁ କ୍ଷତି ହୋଇଛି । ଏଥିରେ ଶାସକଦଳର ପୃଷ୍ଠପୋଷକତା ରହିଛି । ଏହି ମାମଲାରେ କେନ୍ଦ୍ର ଓ ଶାସକ ଦଳର ଭିତିରି ବୁଝାମଣା ହୋଇଥିବା ନିରଂଜନ କହିଛନ୍ତି । ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ ଅଭିଯୋଗରେ ବିଜେଡିର ଏହି ଦୁଇ ବିଧାୟକଙ୍କୁ ନୋଟିସ କରାଯାଇଛି ।