ଦି ଟଲ୍ ମ୍ୟାନ୍ ରିଲିଜ ପରେ ପୁଣି ଥରେ ଚର୍ଚ୍ଚାରେ ବିଜୁଙ୍କ ଇଣ୍ଡୋନେସିଆ ଅଭିଯାନର ଅମର କାହାଣୀ ! ପତ୍ନୀଙ୍କ ସହ ମିଶି ସିକ୍ରେଟ ମିସନକୁ ସକସେସ କରିଥିଲେ ବିଜୁବାବୁ

81

କନକ ବ୍ୟୁରୋ : ଦି ଟଲ୍ ମ୍ୟାନ୍ ରିଲିଜ ପରେ ପୁଣି ଥରେ ବିଜୁ ପଟ୍ଟନାୟକଙ୍କ ବୀରତ୍ୱର କାହାଣୀ ଚର୍ଚ୍ଚାକୁ ଆସିଛି । ବିଜୁବାବୁ ଥିଲେ ଓଡ଼ିଶାର ବିଧାୟକ, ହେଲେ ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ସେ ଥିଲେ ଅନନ୍ୟ ସିପାହୀ । ବିଜୁଙ୍କ ଜୀବନୀ ପୁସ୍ତକ ଦି ଟଲ୍ ମ୍ୟାନରେ ରହିଛି ଏହି କାହାଣୀର ପ୍ରମାଣିକ ଦସ୍ତାବିଜ୍ । ଯେଉଁପରି ଭାବେ ଆକାଶରେ ପରାକ୍ରମ ଦେଖାଇ ସେ ଇଣ୍ଡୋନେସିଆ ଅଭିଯାନକୁ ସଫଳ କରାଇଥିଲେ, ସେହି ଦୁଃସାହାସିକ ମିସନ୍ ଆଜି ବି ବିଶ୍ୱ ଇତିହାସ ପୃଷ୍ଠାରେ ଏକ ଅନନ୍ୟ ଅଧ୍ୟାୟ ହୋଇରହିଛି ।

dakotaଓଡ଼ିଶା ବିଧାୟକଙ୍କ ପରାକ୍ରମ । ଦେଶ ବିଦେଶର ଖବରକାଗଜରେ ଚହଳ ସୃଷ୍ଟି କରିଥିଲା ଏହି ଖବର । ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଓଡ଼ିଶାର ବିଧାୟକ ବିଜୁ ପଟ୍ଟନାୟକଙ୍କ ଅସମ୍ଭବ ସାହାସ ଓ ବିମାନଚାଳନା ଦକ୍ଷତାକୁ ପ୍ରଶଂସା କରିଥିଲା ସାରା ଦୁନିଆ । ଆଉ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣ ଅକ୍ଷରରେ ଚିରକାଳ ପାଇଁ ଲିପିବଦ୍ଧ ହୋଇ ରହିଥିଲା ବିଜୁଙ୍କ ବୀରତ୍ୱର ଗାଥା ।

କଣ ଥିଲା ପୂରା ଘଟଣା :
ଜୁଲାଇ ୨୨, ୧୯୪୭ । ଏହି ଦିନ ଓଡ଼ିଶାର ଉତୁଙ୍ଗ ପୁରୁଷ ବିଜୁ ପଟ୍ଟନାୟକ ଯାହା କରି ଦେଖାଇଥିଲେ, ସାରା ଦୁନିଆ ତାଜୁବ ହୋଇ ରହିଯାଇଥିଲା । ସେତେବେଳେ ରାଷ୍ଟ୍ରପତି ଡକ୍ଟର ସୁକର୍ଣ୍ଣୋଙ୍କ ନେତୃତ୍ୱରେ ଇଣ୍ଡୋନେସିଆବାସୀ ଡଚଙ୍କ କବଳରୁ ମୁକ୍ତି ପାଇବା ପାଇଁ ସଂଗ୍ରାମ ଚଳାଇଥାନ୍ତି । ଇଣ୍ଡୋନେସିଆର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ସାହାରିୟର ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଗୃହବନ୍ଦୀ କରି ରଖିଥାଏ ଡଚ୍ ବାହନୀ । ସେମାନଙ୍କୁ ମୁକୁଳାଇବା ପାଇଁ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ଅନୁରୋଧ କରିଥିଲେ ଇଣ୍ଡୋନେସିଆର ତକ୍ରାଳୀନ ରାଷ୍ଟ୍ରପତି ସୁକର୍ଣ୍ଣୋ । ଇଣ୍ଡୋନେସିଆର ଜଳ, ସ୍ଥଳ, ଆକାଶକୁ ଜଗିଥାନ୍ତି ଦୁର୍ଦ୍ଧର୍ଷ ଡଚ୍ ବାହିନୀ । କିପରି ସେମାନଙ୍କୁ ଉଦ୍ଧାର କରାଯିବ ଚିନ୍ତିତ ହୋଇପଡିଥିଲେ ନେହରୁ ।

ସେତେବେଳେ ତାଙ୍କ ଆଖି ସାମନାକୁ ଆସିଥିଲେ ଓଡ଼ିଶାର ବିଧାୟକ, ସୁଦକ୍ଷ ପାଇଲଟ୍ ଏବଂ ତାଙ୍କର ଘନିଷ୍ଠ ବିଜୁ ପଟ୍ଟନାୟକ । ପଣ୍ଡିତ ନେହରୁଙ୍କ ଠାରୁ ଡାକରା ପାଇବା ପରେ ନିଜର ଡାକୋଟା ବିମାନ ଧରି ଇଣ୍ଡୋନେସିଆ ଅଭିଯାନରେ ବାହାରି ପଡିଲେ ବିଜୁ ପଟ୍ଟନାୟକ । ସାଙ୍ଗରେ କୋ-ପାଇଲଟ୍ ଭାବରେ ଯାଇଥାନ୍ତି ପତ୍ନୀ ଜ୍ଞାନ ପଟ୍ଟନାୟକ । ପାଦ ପାଦରେ ଥାଏ ବିପଦ, ହେଲେ ଏହାକୁ ଖାତିର ନକରି ନିଜର ବିଚକ୍ଷଣ ଉପସ୍ଥିତ ବୁଦ୍ଧି, ଅତ୍ୟନ୍ତ ଦୁଃସାହସ ଓ ବିମାନ ଚାଳନାରେ ଅସମ୍ଭବ ଦକ୍ଷତା ପ୍ରଦର୍ଶନ କରିଥିଲେ ବିଜୁବାବୁ । ଗୃହବନ୍ଦୀ ଥିବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ଡକ୍ଟର ସାହାରିୟର ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ସିଙ୍ଗାପୁର ଦେଇ ସେ ଉଡାଇ ଆଣିଥିଲେ ଦିଲ୍ଲୀ । ଫେରୁଥିବା ବେଳେ ଡଚ୍ ବିମାନବାହିନୀର ଘନ ଘନ ଆକ୍ରମଣକୁ ଭ୍ରୁକ୍ଷେପ ନକରି କୁଶଳୀ ପାଇଲଟ୍ ବିଜୁବାବୁ ସମସ୍ତଙ୍କୁ ନିରାପଦରେ ପହଁଚାଇଥିଲେ ଦିଲ୍ଲୀରେ । ଏହା ପରେ ସାରା ବିଶ୍ୱରେ ଡଚ୍ ବିରୋଧରେ ସୃଷ୍ଟି ହୋଇଥିଲା ଜନମତ । ସେମାନଙ୍କ କବଳରୁ ମୁକ୍ତି ପାଇଥିଲା ଇଣ୍ଡୋନେସିଆ । ବିଜୁବାବୁ ପାଲଟି ଯାଇଥିଲେ ଇଣ୍ଡୋନେସିଆର ଭୂମିପୁତ୍ର ।

ଡିସେମ୍ବର ୧୨, ୧୯୯୫ । ବିଜୁବାବୁଙ୍କୁ ପ୍ରଦାନ କରାଯାଇଥିଲା ଇଣ୍ଡୋନେସିଆର ସବୁଠୁ ବଡ଼ ସମ୍ମାନ ବିନତଙ୍ଗ୍ ଯଶ ଉତମ । । ବିଜୁଙ୍କ ଏହି ଦୁଃସାହସିକ ଅଭିଯାନ ବିଶ୍ୱ ଇତିହାସର ଅନ୍ୟତମ ଚମକପ୍ରଦ ଘଟଣା ହୋଇ ରହିଛି ।