ନୂଆପଡ଼ାରେ ବିଜେପିର ପରାଜୟ ! ଖାତା ଖୋଲି ପାରିଲେନି ବସନ୍ତ ପଣ୍ଡା, ଟାର୍ଗେଟ୍ କଲେ ବିଜୟ

34

କନକ ବ୍ୟୁରୋ : ନିଜ ଗଡ଼ରେ ଖାତା ଖୋଲିପାରି ନାହାଁନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ଜିଲ୍ଲା ପରିଷଦ ନିର୍ବାଚନରେ ପୂରା ପୋଛି ହୋଇଯାଇଛି ଭାରତୀୟ ଜନତା ପାର୍ଟି । ବସନ୍ତଙ୍କ ଶେଷ ଆଶା ଥିବା କୋମନା ଦୁଇ ନମ୍ବର ଜୋନକୁ କବଜା କରି ନେଇଛି ବିଜୁ ଜନତା ଦଳ । ଆଉ ଏହି ପରାଜୟ ବିଜେପି ରାଜ୍ୟ ସଭାପତିଙ୍କ ପାରିବା ପଣିଆକୁ ନେଇ ଉଠିଛି ପ୍ରଶ୍ନ । ଏମିତି ଖୋଦ୍ ତାଙ୍କ ଦଳର ନେତା ବିଜୟ ମହାପାତ୍ର ଏହାକୁ ସହଜରେ ଗ୍ରହଣ କରି ନାହିଁନ୍ତି ।

ଆତ୍ମସମୀକ୍ଷାର ପରାମର୍ଶ ଦେବା ସହ ରାଷ୍ଟ୍ରୀୟ ସଭାପତି ବିଚାର କରିବେ ବୋଲି ଖୋଲା ଖୋଲି ଶୁଣାଇ ଦେଇଛନ୍ତି । ବିଭିନ୍ନ ସମୟରେ ବିଜେପିକୁ ଅଡୁଆ ସ୍ଥିତିରେ ପକାଇଲା ଭଳି ବୟାନ ସବୁ ଦେଇଥିଲେ ବିଜୟ ମହାପାତ୍ର । ପଂଚାୟତ ନିର୍ବାଚନର ପ୍ରଦର୍ଶନରେ ବିଜେପିର ସଫଳତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏମିତିକି ବିଜେପିକୁ କେହି ଜାଣି ନାହାଁନ୍ତି ବୋଲି କହିଥିଲେ । ମହାନଦୀ ପ୍ରସଙ୍ଗରେ ଖୋଲାଖୋଲି ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଅଙ୍ଗୁଳି ଉଠାଇଥିଲେ । ଆଉ ସୀମା ଟିପି ଯାଇଥିଲା ଯେତେବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୧୨୦ ଆସନ ଜିତିବା ନେଇ ଦାବି କରିଥିଲେ । ବିଜୟ ପ୍ରଶ୍ନ କରିଥିଲେ-ଯେଉଁ ଆଧାରରେ କହୁଛନ୍ତି ଅମିତ ଶାହା ।

ଆଉ ଏହି ସବୁ ବୟାନ୍ ପରେ ବିଜୟଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ରାଜ୍ୟ ବିଜେପି ସଭାପତି । ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଜଣାଇଥିଲେ ବସନ୍ତ ପଣ୍ଡା । ଆଉ ଆଜି ଯେତେବେଳେ ବସନ୍ତ ନିଜ ନିର୍ବାଚନ ମଣ୍ଡଳୀରେ ଖାତା ଖୋଲି ପାରି ନାହିାଁନ୍ତି । ରାଷ୍ଟ୍ରୀୟ ସଭାପତି ବିଚାର କରିବେ ବୋଲି ତେରଛା ବାଣ ଛାଡିଛନ୍ତି ବିଜୟ ମହାପାତ୍ର ।