ବିହାର ଆଶ୍ରୟସ୍ଥଳୀ ଦୁଷ୍କର୍ମ ଘଟଣାରେ ସାମାଜିକ ଉନ୍ନୟନ ବିଭାଗର ୬ ଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କଲେ ରାଜ୍ୟ ସରକାର

30

କନକ ବ୍ୟୁରୋ : ବିହାର ଆଶ୍ରୟସ୍ଥଳୀ ବିବାଦ ଥମିବାରେ ନା ନେଉ ନାହିଁ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସାରା ଦେଶରେ ଏହା ଆଲୋଡନର ବିଷୟ ହୋଇଥିଲା । ତେବେ ରାଜ୍ୟ ରାଜନୀତିରେ ମଧ୍ୟ ଏହା ଚର୍ଚ୍ଚା ଘେରକୁ ଆସିଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଘଟଣାରେ ସିବିଆଇ ତଦନ୍ତ ହେବ ବୋଲି କହିଥିଲେ । କିନ୍ତୁ ବିରୋଧୀମାନେ ଏହାକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହି ଘଟଣାରେ ରାଜ୍ୟ ସରକାର ସାମାଜିକ ଉନ୍ନୟନ ବିଭାଗର ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟ ପକ୍ଷରେ ଏହି ମାମଲାରେ ରାଜ୍ୟ ସମାଜ କଲ୍ୟାଣ ମନ୍ତ୍ରୀ ମଂଜୁ ବର୍ମାଙ୍କ ଇସ୍ତଫା ଦାବି କରିଛି ବିଜେପି। ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସିପି ଠାକୁର ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେଇ ତଦନ୍ତର ସମୁଖୀନ ହେବାକୁ କହିଛନ୍ତି। ଏହା ଜେଡିୟୁର ଅଡ଼ୁଆ ବଢ଼ାଇ ଦେଇଥିଲେ ମଧ୍ୟ ମନ୍ତ୍ରୀ ଇସ୍ତଫା ଦେବେନାହିଁ ଏବଂ ସିବିଆଇ ରିପୋର୍ଟକୁ ଅପେକ୍ଷା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

 

ଉଲ୍ଲେଖଯୋଗ୍ୟ, ମୁଜାଫରପୁର ଆଶ୍ରୟସ୍ଥଳରେ ମୋଟ ୪୨ ନାବାଳିକାଙ୍କ ମଧ୍ୟରୁ ୩୪ ଜଣଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। ଦୁଷ୍କର୍ମ ବ୍ୟତୀତ ଦେହରେ ଚେଂକ ମଧ୍ୟ ଦିଆଯାଇ ଅନେକ ଥର ମାଡ଼ ମରାଯାଇଛି। ସରକାରୀ ଅନୁଦାନରେ ଏହି ଆଶ୍ରୟସ୍ଥଳ ଚାଲୁଥିବା ବେଳେ ବ୍ରଜେଶ୍ ଠାକୁର ନାମକ ଜଣେ ବ୍ୟକ୍ତିର ସ୍ୱେଚ୍ଛାସେବୀ ସଂସ୍ଥା ଏହାର ପରିଚାଳନା ଦାୟିତ୍ୱ ନେଇଥିଲା। ଏ ଘଟଣାରେ ପୂର୍ବରୁ ମନ୍ତ୍ରୀ ବର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଅଯଥାରେ ତାଙ୍କୁ ଏହି ଘଟଣାରେ ଯୋଡାଯାଉଛି କିନ୍ତୁ ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀଙ୍କ ସ୍ୱାମୀଙ୍କ ନାମ ଏହି ଘଟଣାରେ ଯୋଡିହୋଇ ରହିଛି ତେଣୁ କୈାଣସି ଟିପଣୀ ନ ଦେଇ ଯଥାଶୀଘ୍ର ଇସ୍ତଫା ଦେବା ସହ ତଦନ୍ତର ସାମନା କରନ୍ତୁ ବୋଲି ବିରୋଧୀମାନେ ଦାବି କରିଛନ୍ତି ।