ଘରୋଇ ମାଟିରେ ପୁଣି ସିଂହଳୀ ଟିମ୍ ଚିତପଟାଙ୍ଗ ! ଦ୍ୱିତୀୟ ଦିନିକିଆକୁ ୩ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

54

କନକ ବ୍ୟୁରୋ : ପାଲେକେଲରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କାକୁ  ୩ ୱିକେଟରେ ହରାଇଦେଇଛି ବିରାଟ ଆଣ୍ଡ କୋ । ଏଥିସହ ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ । ଧୋନୀ ଓ ଭୁବନେଶ୍ୱର ଦେଲେ ଭାରତକୁ ବିଜୟ । ଧୋନି ଅପରାଜିତ ୪୫ ରନ୍ କରିଥିବା ବେଳେ ଭୁବନେଶ୍ୱର କୁମାର ଅପରାଜିତ ୫୩ ରନ୍ କରିିଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୬ ରନ୍ କରିଥିଲା । ହେଲେ ବର୍ଷା ହେବାରୁ ଭାରତକୁ ୪୭ ଓଭରରେ ୨୩୧ ରନ୍ ଟାର୍ଗେଟ୍ ଦିଆଯାଇଥିଲା । ଭାରତ ୪୪ ଓଭର ଦୁଇଟି ବଲରେ ୭ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭୁବନେଶ୍ୱର ତାଙ୍କ ଦିନିକିଆ ଜୀବନର ପ୍ରଥମ ଅର୍ଦ୍ଧଶତକ କରିଥିବା ବେଳେ ଧୋନିଙ୍କ ସହ ଅଷ୍ଟମ ୱିକେଟରେ ୧୧୦ ରନ୍ ଯୋଡି ଭାରତକୁ ବିଜୟ ଆଣିପାରିଥିଲେ ।

ପାଲେକେଲରେ ଗତକାଲି ଖେଳା ଯାଇଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ବେଶ୍‌ ରୋମାଞ୍ଚ ଭରା ରହିଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଓ୍ଵିକେଟ୍‌ ବିନିମୟରେ ମାତ୍ର ୨୩୬ ରନ୍‌ କରିଥିଲା । ହେଲେ ବର୍ଷା ପାଇଁ ଦେଢ଼ ଘଣ୍ଟା ବାଧା ହେବାରୁ ଭାରତକୁ ୪୭ ଓଭରରେ ୨୩୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଭାରତ ଏହାକୁ ମହେନ୍ଦ୍ର ସିଂହ ଧୋନି (୪୫ଅପରାଜିତ) ଏବଂ ଭୁବନେଶ୍ୱର କୁମାର (୫୩ ଅପରାଜିତ)ଙ୍କ ଦାୟିତ୍ୱବାନ ବ୍ୟାଟିଂ ପାଇଁ ୪୪.୨ ଓଭରରେ ୭ ଓ୍ଵିକେଟ୍‌ ହରାଇ ହାସଲ କରି ନେଇଥିଲା । ତା’ ସହ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇ ଯାଇଥିଲା।

ରବିବାର ଦûମ୍ବୁଲାରେ ପ୍ରଥମ ଦିନିକିଆରେ ଦୟନୀୟ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଆଜି ବି ଅତି ଖରାପ ପ୍ରଦର୍ଶନ କରିଥିଲା । ଭାରତୀୟ ଅଧିନାୟକ ବିରାଟ କୋହଲି ଚଳିତ ଗସ୍ତରେ ପଞ୍ଚମ ଥର ପାଇଁ ଟସ୍‌ ଜିତି ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ୧୨୧ ରନ୍‌ରେ ଅଧା ଖେଳାଳି ଘରାଇ ସିଂହଳୀ ଦଳ ପୁଣି ଥରେ ସଙ୍କଟରେ ପଡ଼ିଥିଲା । ଅନ୍ୟ ପକ୍ଷରେ ଭାରତୀୟ ବୋଲର ଶୃଙ୍ଖଳିତ ବୋଲିଂର ଧାରାକୁ ଜାରି ରଖି ଲଗାତାର ଦ୍ୱିତୀୟ ଥର ପାଇଁ ଘରୋଇ ଦଳକୁ ଅଢ଼େଇ ଶହ ରନ୍‌ ତଳେ ରୋକି ଦେଇଥିଲେ । ବିଶେଷ କରି ନିଜ ଅଣପାରମ୍ପରିକ ବୋଲିଂ ଶୈଳୀ ପାଇଁ ପ୍ରସିଦ୍ଧ ଯୁବ ଭାରତୀୟ ଦ୍ରୁତ ବୋଲର ଯସପ୍ରୀତ ବୁମରା (୪/୪୩) ଅନଭିଜ୍ଞ ଶ୍ରୀଲଙ୍କା ଦଳର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

ନିରୋସାନ ଡିକେଓ୍ଵଲା (୩୧)ଙ୍କ ଓ୍ଵିକେଟ୍‌ ନେଇ ଭାରତକୁ ପ୍ରଥମ ସଫଳତା ଉପହାର ଦେଇଥିବା ବୁମ୍‌ରା ଘରୋଇ ଦଳର ଦୁଇ ସଫଳ ବ୍ୟାଟସମ୍ୟାନ୍‌ ମିଳିନ୍ଦ ସିରିବର୍ଧନେ (୫୮) ଓ ଚାମରା କାପୁଗେଡରା (୪୦)ଙ୍କ ଭାଗୀଦାରି ଭାଙ୍ଗି ଭାରତକୁ ପୁଣି ଥରେ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ସେହିଭଳି ହରିଆଣା ବୋଲର ଯୁଜବେନ୍ଦ୍ର ଚହଲ (୨/୪୩)ଙ୍କ ଲେଗ୍‌ ସ୍ପିନକୁ ବୁଝିବାକୁ ସିଂହଳୀ ଖେଳାଳିମାନେ ଆଜି ବି ଅସମର୍ଥ ହୋଇଥିଲେ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଦନୁଷ୍କା ଗୁଣତିଲକେ (୧୯)ଙ୍କୁ ଧୋନିଙ୍କ ହାତରେ ଷ୍ଟମ୍ପ କରାଇବା ପରେ ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା କୁଶାଲ ମେଣ୍ଡିସ (୧୯)ଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ସେ ଶ୍ରୀଲଙ୍କାକୁ ଲଗାତାର ଦୁଇଟି ଝଟ୍‌କା ଦେଇଥିଲେ । ହାର୍ଦିକ ପାଣ୍ଡ୍ୟା (୧/୨୪) ଏବଂ ଅକ୍ଷର ପଟେଲ (୧/୩୦) ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ । ଭାରତୀୟ ବୋଲରଙ୍କ ମୁକାବିଲା କରି ନ ପାରି ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୩୬ ରନ୍‌ କରି ପାରିଥିଲା ।

ପ୍ରଥମ ଓ୍ଵିକେଟ୍‌ର ଶତକୀୟ ଭାଗୀଦାରି ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଜଣକ ପରେ ଜଣେ ନିଜ ଓ୍ଵିକେଟ୍‌ ଫିଙ୍ଗି ଚାଲିଥିଲେ । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା (୫୪) ଏବଂ ଶିଖର ଧାଓ୍ଵନ (୪୯) ପ୍ରଥମ ଓ୍ଵିକେଟ୍‌ରେ ୧୦୯ ରନ୍‌ କରିଥିଲେ । ହେଲେ ଏହା ପରେ ନାଟକୀୟ ଭାବେ ଭାରତ ମାତ୍ର ୨୨ ରନ୍‌ ଭିତରେ ୭ ଓ୍ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା । ତୃତୀୟ ସ୍ଥାନରେ ଆସିଥିବା ଲୋକେଶ ରାହୁଲଙ୍କ ସହିତ କେଦାର ଯାଦବ, ଅଧିନାୟକ ବିରାଟ କୋହଲି ଏବଂ ବିସ୍ଫୋରକ ହାର୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରୁ କେହି ଆଜି କାମ ଦେଇ ନଥିଲେ । ଶ୍ରୀଲଙ୍କାର ଯୁବ ସ୍ପିନର ଅଖିଳ ଧନଞ୍ଜୟ ଗୋଟିଏ ଓଭରରେ ତିନିଟି ଓ୍ଵିକେଟ୍‌ ସହ ମୋଟ ୬ ଓ୍ଵିକେଟ୍‌ ନେଇ ଭାରତକୁ ଘାଇଲା କରି ଦେଇଥିଲେ । ହେଲେ ପିଚ୍‌ ଶୁଖିବା ସହ ତାଳ ଦେଇ ମ୍ୟାଚ୍‌ ପୁଣି ଥରେ ନାଟକୀୟ ମୋଡ଼ ନେଇଥିଲା । ଧୋନି ଏବଂ ଭୁବନେଶ୍ୱର କୁମାର ମିଶି ଅସମାପ୍ତ ଅଷ୍ଟମ ଓ୍ଵିକେଟ୍‌ରେ ୧୧୦ ରନ୍‌ ଯୋଡ଼ି ଶ୍ରୀଲଙ୍କା ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ । ଭୁବନେଶ୍ୱର ତାଙ୍କ ଦିନିକିଆ ଜୀବନର ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ବରଫ ଭଳି ଶାନ୍ତ ଥିବା ଧୋନି ତାଙ୍କୁ ସାଥୀ କରି ଭାରତକୁ ଆଉ ଏକ ସ୍ମରଣୀୟ ବିଜୟ ଉପହାର ଦେଲେ।