ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ବ୍ୟାଙ୍କକ ଅଭିମୁଖେ ବିଜୁପଟ୍ଟନାୟକ ବିମାନ ବନ୍ଦର ଛାଡିଲା ଏୟାରଇଣ୍ଡିଆ ବିମାନ । ସପ୍ତାହକୁ ଦୁଇଥର କରିବ ଉଡାଣ ।

39

କନକ ବ୍ୟୁରୋ : ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନସେବା । ଆଜି ସିଧା ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିଛି ବିମାନ । ବ୍ୟାଙ୍କକରୁ ଆସିଥିବା ଏୟାର ଇଣ୍ଡିଆର ବିମାନ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମ ଥର ପାଇଁ ବ୍ୟାଙ୍କକ ଅଭିମୁଖେ ଉଡାଣ କରିଛି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ସେବାର ଉଦଘାଟନ କରିବା ପରେ ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିଛି ବିମାନ ।

ଭୁବନେଶ୍ୱରରୁ ଏହା ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନସେବା । ପ୍ରତି ସପ୍ତାହରେ ଦୁଇଥର ବ୍ୟାଙ୍କକକୁ ଯାତାୟତ କରିବ ଏୟାର ଇଣ୍ଡିଆ ବିମାନ । ପ୍ରତି ସପ୍ତାହ ଗୁରୁବାର ଓ ରବିବାର ଅପରାହ୍ନ ୩ଟା ୪୫ରେ ଭୁବନେଶ୍ୱର ଛାଡିବ ବିମାନ । ସିଧା ସଳଖ ଭୁବନେଶ୍ୱରରୁ ବ୍ୟାଙ୍କକ ଯିବା ପାଇଁ ଯାତ୍ରୀଙ୍କୁ ଟିକଟ ବାବଦକୁ ୧୫ ହଜାର ଟଙ୍କା ଦେବାକୁ ପଡିବ । ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ମିଳିବା ସହ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡକର ସହ ସମ୍ପର୍କ ବୃଦ୍ଧିରେ ସହାୟକ ହେବ ।

ଭୁବନେଶ୍ୱରରୁ ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ଏପ୍ରିଲ ୨୬ରେ ଆରମ୍ଭ ହୋଇଥିଲା । ପୂର୍ବରୁ ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ଉଡିଥିଲା ବିମାନ । ପ୍ରଥମେ ସପ୍ତାହକୁ ଦୁଇ ଦିନ ବିମାନ ଉଡୁଥିବା ବେଳେ ପରବର୍ତୀ ସମୟରେ ଯାତ୍ରୀଙ୍କ ସଂଖ୍ୟା ବଢିବାରୁ ଏବେ ପ୍ରତିଦିନ କୁଆଲାଲମ୍ପପୁରକୁ ବିମାନ ଉଡାଣ କରୁଛି ।