ରଥଯାତ୍ରା ପୂର୍ବରୁ ଖୋଲିବ ଭୁବନେଶ୍ୱର ନିୟୁ ଷ୍ଟେସନ ! ଜାଣନ୍ତୁ କେଉଁ କେଉଁ ରୁଟରେ ଚାଲିବ ଟ୍ରେନ ?

45

କନକ ବ୍ୟୁରୋ : ଭୁବନେଶ୍ୱର ଷ୍ଟେସନରୁ ୧୪କିମି ଦୂରରେ ରାଜଧାନୀ ଉପକଣ୍ଠରେ ରଘୁନାଥପୁର ନିକଟରେ ନିର୍ମାଣ ହେଉଥିବା ‘ଭୁବନେଶ୍ୱର ନିୟୁ’ ଷ୍ଟେସନ୍ ଚଳିତ ସପ୍ତାହରେ ଖୋଲିବ। କେନ୍ଦ୍ର ରେଳ ମନ୍ତ୍ରୀ କିମ୍ବା ରେଳ ରାଷ୍ଟ୍ର ମନ୍ତ୍ରୀ ଆସନ୍ତା ଶନିବାର/ରବିବାର ଏହି ଷ୍ଟେସନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗାମୀ ରଥଯାତ୍ରାକୁ ନଜରରେ ରଖି ଏହି ଷ୍ଟେସନ୍ ଉଦଘାଟନ କରାଯାଉଛି। ଏବେ ଏଠାରେ କେବଳ ୩ଟି ପାସେଞ୍ଜର ଟ୍ରେନ୍ ରହିବ। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ପୁରୀ-ହାଓ୍ଵଡା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର, କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ୍ ରହିବ।

୨୦୧୨ ମସିହାରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ଷ୍ଟେସନକୁ  ଅନ୍ତର୍ଜାତୀୟ ଷ୍ଟେସନ୍ କରିବାକୁ ରେଳ ମନ୍ତ୍ରଣାଳୟ ଘୋଷଣା କରିଥିଲା। ଏଥିପାଇଁ ଲମ୍ବା ଚଉଡ଼ା ଯୋଜନା ପ୍ରସ୍ତୁତ ହେବା ସହ ନୂଆ ଡିଜାଇନ୍ ବି ହୋଇଥିଲା। କିନ୍ତୁ କାମ ଆରମ୍ଭ ହେବା ପରେ ଏହା ସାଟେଲାଇଟ୍ ଷ୍ଟେସନ ପରିଣତ ହୋଇଗଲା। ଭୁବନେଶ୍ୱର ଷ୍ଟେସନର ଭିଡ଼ କମାଇବା ପାଇଁ ଏହାକୁ ସାଟେଲାଇଟ୍ ଷ୍ଟେସନ୍ କରାଗଲା ବୋଲି କୁହାଗଲା। ପ୍ରାୟ ୩୦କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ୍ ୨୦୧୫ରେ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଧାର୍ଯ୍ୟ ସମୟରେ ଶେଷ ହୋଇ ନଥିଲା। ଏହାପରେ ତିନି ଥର ପ୍ରକଳ୍ପ ଶେଷ ପାଇଁ ଟାର୍ଗେଟ୍ ଧାର୍ଯ୍ୟ ହୋଇଥିଲେ ହେଁ ସରି ନଥିଲା। କାମ ବିଳମ୍ବ ହେବା ପରେ ନିର୍ମାଣ କରୁଥିବା ସଂସ୍ଥାକୁ ବଦଳା ଯାଇଥିଲା। ଶେଷରେ ଏହି ଷ୍ଟେସନକୁ ଚଳିତ ସପ୍ତାହରେ ଉଦଘାଟନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ, ଗମନାଗମନର ସୁବିଧା ନଥିବାରୁ ଏଠାରେ ପରୀକ୍ଷାମୂଳକ ଭାବେ ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ୬ମାସ ପରେ କେତେ ଯାତ୍ରୀ ଚଢ଼ୁଛନ୍ତି/କେତେ ଓହ୍ଲାଉଛନ୍ତି ତା’ର ସମୀକ୍ଷା କରାଯିବ। ଯଦି ଆଶାନୁରୂପକ ଯାତ୍ରୀ ନହୁଅନ୍ତି ତେବେ ଏହାକୁ ବନ୍ଦ କରିଦିଆଯିବାର ଆଶଙ୍କା ବି ଅଛି। ଭୁବନେଶ୍ୱର ନିଉ ଷ୍ଟେସନରୁ ଭୁବନେଶ୍ୱରରୁ ଦକ୍ଷିଣ ଭାରତକୁ ଯାଉଥିବା ଟ୍ରେନ୍ଗୁଡ଼ିକର ଚଳାଚଳ ଆରମ୍ଭ କରିବାକୁ ଯୋଜନା ହୋଇଥିଲେ ହେଁ ଏବେ କେବଳ ପାସେଞ୍ଜର ଟ୍ରେନ୍ ଚଳାଇବାକୁ ଯୋଜନା ହୋଇଛି। ଏନେଇ ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ସୁବିଧା ଆରମ୍ଭ କରିବାକୁ ପ୍ରାୟ ୨ବର୍ଷ ଲାଗିବ। ଏବେ ପ୍ରଥମ ପର୍ଯ୍ୟୟ କାମ ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟୟରେ ଦକ୍ଷିଣ ଭାରତକୁ ଟ୍ରେନ୍ ଚଳାଚଳ ପାଇଁ ସୁବିଧା ରହିବ। ଟ୍ରେନ୍ ମରାମତି, ବଗି ସଫା କରିବା, ଟ୍ରେନ୍ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ବିଶ୍ରାମାଗାର, ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବିଶ୍ରାମାଗାର ନିର୍ମାଣ ହେବା ପରେ ଏଠାରୁ ଦକ୍ଷିଣ ଭାରତକୁ ଟ୍ରେନ୍ ଚଳାଚଳ କରିବ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଷ୍ଟେସନରେ ଏବେ ୬ଟି ପ୍ଲାଟଫର୍ମ ଥିବାବେଳେ ଏହି ସାଟେଲାଇଟ୍ ଷ୍ଟେସନରେ ୭ଟି ପ୍ଲାଟଫର୍ମ ରହିବ। ଏହାସହ ୯ଟି ଟ୍ରାକ୍ ରହିବ। ଏବେ ପ୍ରାୟ ତିନିଟି ରେଳ ଲାଇନ୍ରେ ଟ୍ରେନ୍ ଚଳାଚଳ କରିବ। ଭବିଷ୍ୟତରେ ଭୁବନେଶ୍ୱର ରେଳ ଷ୍ଟେସନ୍ର ଅଧିକ ସମ୍ପ୍ରସାରଣ ସମ୍ଭାବନା ନଥିବାରୁ ଏହି ସାଟେଲାଇଟ୍ ଷ୍ଟେସନ୍ ସମ୍ପ୍ରସାରଣ ପାଇଁ ବ୍ୟବହାର ହେବ। ଏଥିପାଇଁ ଏହି ନୂଆ ଷ୍ଟେସନର ୩ କିମି ଦୂରତା ପର୍ୟ୍ୟନ୍ତ ୨୦୦ମିଟର ଓସାର ମଧ୍ୟରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିବା ଉପରେ ରୋକ୍ ଲାଗିଛି।