ଦ୍ୱନ୍ଦ୍ୱର ଘଟିଲା ଅବସାନ ! ଭରତ ଅରୁଣ ହେଲେ ଟିମ୍ ଇଣ୍ଡିଆର ନୂଆ ବୋଲିଂ କୋଚ୍

46

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ନୂଆ କୋଚ୍ ରବି ଶାସ୍ତ୍ରୀଙ୍କ ନୂଆ ଟିମ୍ । ପୂର୍ବତନ ତାମିଲନାଡୁ ପେସ୍ ବୋଲର ଭରତ ଅରୁଣ ହେଲେ ଭାରତର ନୂଆ ବୋଲିଂ କୋଚ୍ । ୨୦୧୯ ବିଶ୍ୱକପ୍ ଯାଏଁ ଅରୁଣ ଏହି ଦାୟିତ୍ୱ ତୁଲାଇବେ । ଅର୍ଥାତ୍ ଆସନ୍ତା ୨ ବର୍ଷ ଯାଏଁ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ରହିବେ ଭରତ ଅରୁଣ ।

୨୦୧୪ରୁ ୧୬ ମଧ୍ୟରେ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆ ନିର୍ଦ୍ଦେଶକ ଥିବା ସମୟରେ ଅରୁଣ ବୋଲିଂ କୋଚ୍ ଥିଲେ । ୮୦ ଦଶକରେ ଦୁଇଟି ଟେଷ୍ଟ ଓ ୪ଟି ଦିନିକିଆ ଖେଳିଛନ୍ତି ଅରୁଣ । ଟେଷ୍ଟରେ ୪ଟି ଏବଂ ଦିନିକିଆରେ ଗୋଟିଏ ୱିକେଟ୍ ନେଇଛନ୍ତି ଅରୁଣ । ତେବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଭରତ ଅରୁଣଙ୍କ ଭଲ ରେକର୍ଡ ରହିଛି । ୪୮ଟି ମ୍ୟାଚରୁ ୩୨ ଦଶମିକ ୪୪ ଆଭରେଜରେ ୧୧୦ ୱିକେଟ୍ ନେଇଛନ୍ତି ଅରୁଣ ।

ସେହିପରି ବର୍ତ୍ତମାନ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ଥିବା ସଂଜୟ ବାଙ୍ଗରଙ୍କୁ ମିଳିଛି ଆସିଷ୍ଟାଂଟ୍ କୋଚ୍ ଦାୟିତ୍ୱ । ସେ ମଧ୍ୟ ଆଗାମୀ ୨ ବର୍ଷ ଯାଏଁ ଟିମ୍ ଇଣ୍ଡିଆର ସହକାରୀ କୋଚ୍ ରହିବେ । ଆର୍ ଶ୍ରୀଧରଙ୍କୁ କରାଯାଇଛି ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ । ରବି ଶାସ୍ତ୍ରୀଙ୍କ ଏହି ଘୋଷଣା ପରେ କୁହାଯିବ ଯେ, ବିସିସିଆଇ ତାର ନିଷ୍ପତିରୁ ୟୁ ଟର୍ଣ୍ଣ ନେଇଛି । ପୂର୍ବରୁ ଜାହିର ଖାନଙ୍କୁ ବୋଲିଂ କୋଚ୍ ଏବଂ ରାହୁଲ ଦ୍ରାବିଡଙ୍କୁ ବ୍ୟାଟିଂ କୋଚ୍ କରିବା ନେଇ ବିସିସିଆଇ ଘୋଷଣା କରିଥିଲ।। ଯାହା ଏବେ ଅସ୍ପଷ୍ଟ ରହିଛି ।