ଭଦ୍ରକରେ କାଲି ସକାଳ ୮ ଯାଏ ବଢିଲା କର୍ଫ୍ୟୁ ଅବଧି : ମୁଖ୍ୟ ଶାସନ ସଚିବ କହିଲେ ଶାନ୍ତି ଫେରାଇଆଣିବାକୁ ଚାଲିଛି ଉଦ୍ୟମ

27

କନକ ବ୍ୟୁରୋ : ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ଭଦ୍ରକ । ଆଜି ସକାଳୁ ଏଯାଏ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ସାରା ସହରରେ ଜାରି ହୋଇଛି କର୍ଫ୍ୟୁ । କାଲି ସକାଳ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁର ଅବଧି ବଢିଛି । ଟିକିନିଖି ହଲଚଲ ଉପରେ ନଜର ରଖିଛି ପୁଲିସ । ଜରୁରୀ ପରିସ୍ଥିତି ନହେଲେ ଘରୁ ବାହାରିବାକୁ ଲୋକଙ୍କୁ ମନା କରାଯାଇଛି । ବିଶୃଙ୍ଖଳାକାରୀଙ୍କୁ ଦେଖିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଛି । ୪୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଫେସବୁକରେ ପୋଷ୍ଟିଂ ନେଇ ୪ଟି ମାମଲା ରୁଜୁ କରାଯାଇଛି । ୯ଟି ବାଇକ ଜବତ କରିଛି ପୁଲସ ।

ପରିସ୍ଥିତିକୁ ଆୟତକୁ ଆଣିବାକୁ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଭଦ୍ରକରେ ଦେଖା ଦେଇଥିବା ଅଶାନ୍ତିର ପ୍ରଭାବ ବାସୁଦେବପୁରରେ ବି ପଡିଛି । ସୁରକ୍ଷା ଦୃଷ୍ଟିରୁ ବାସୁଦେବପୁରରେ ବି ୧୪୪ ଧାରା ଲାଗୁ ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ପଦକ୍ଷେପ ନିଆଯାଇଛି । ସେହିପରି ଧାମନଗରରେ ବି ୧୪୪ ଧାରା ଜାରି ହୋଇଛି ।

ଭଦ୍ରକରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ପୁଲିସ ଡିଜି । ସହରରେ ୩୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଶାନ୍ତି ଫେରାଇଆଣିବା ନିବେଦନ କରାଯାଉଛି । ପାଟ୍ରୋଲିଂ କଡାକଡି କରାଯିବା ସହ ଘଟଣା ଉପରେ ତୀକ୍ଷ୍ନ ନଗର ରଖାଯାଇଛି । ସୋସିଆଲ ମିଡିଆ ଉପରେ ବିବାଦୀୟ ମନ୍ତବ୍ୟ ନଦେବାକୁ ଡିଜି ତାଗିଦ କରିଛନ୍ତି ।