ପଶ୍ଚିମବଙ୍ଗରେ ପୁଣି ରାଜନୈତିକ ହିଂସା : ଜୟ ଶ୍ରୀରାମ ନାରା ଦେବାରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା, ତୃଣମୂଳ କଂଗ୍ରେସର ହାତ ଥିବା ଅଭିଯୋଗ

274

କନକ ବ୍ୟୁରୋ : ନିର୍ବାଚନ ସରିଛି । ଫଳାଫଳ ବି ଆସିସାରିଛି । ହେଲେ ପଶ୍ଚିମବଙ୍ଗରେ ଥମୁନି ହିଂସା । ଲୋକସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚର୍ଚ୍ଚାରେ ରହିଥିଲା । ନିର୍ବାଚନ ପରେ କମିବା ପରିବର୍ତ୍ତେ ପଶ୍ଚିବଙ୍ଗରେ ବଢ଼ିଚାଲିଛି ରାଜନୈତିକ ହିଂସାର ତାଲିକା । ଆଉ ଗତକାଲି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣର କିଛି ଘଂଟା ପୂର୍ବରୁ ପଶ୍ଚିମବଙ୍ଗରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା କରାଯାଇଛି ।

ଲୋକସଭା ନିର୍ବାଚନ ସମୟରେ ଅଧିକ ହିଂସା ପ୍ରବଣ ହୋଇପଡ଼ିଥିଲା ପଶ୍ଚିମବଙ୍ଗ । ଗୋଟିଏ ପଟେ ମୋଦିଙ୍କ ଶପଥ ଗ୍ରହଣ ପାଇଁ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା, ଆଉ ଅନ୍ୟପଟେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ପଶ୍ଚିବଙ୍ଗରେ ପୁଣି ପ୍ରାଣ ହରାଇଥିଲେ । ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଦମାନ ଜିଲ୍ଲାର କେତୁଗ୍ରାମ ଥାନାର ପାଣ୍ଡୁ ଗ୍ରାମରେ ଏହି ହତ୍ୟାକାଣ୍ଡ ହୋଇଛି । ବିଜେପି କାର୍ଯ୍ୟକର୍ତ୍ତା ସୁଶୀଲ ମଣ୍ଡଳଙ୍କୁ ଛୁରି ମାରି ହତ୍ୟା କରାଯାଇଛି । ସୁଶୀଲ ମଣ୍ଡଙ୍କ ପତ୍ନୀ ଥାନାରେ ଏତଲା ଦେଇଛନ୍ତି । ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଏହି ହତ୍ୟାକାଣ୍ଡରେ ତୃଣମୂଳ କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତାଙ୍କ ହାତ ଥିବା ଅଭିଯୋଗ ହୋଇଛି । ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଅନୁସାରେ ଜୟ ଶ୍ରୀରାମ ନାରା ଦେବାରୁ ତାଙ୍କ ଟିଏମସି କର୍ମୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ।