ମୋଦିଙ୍କ ଟିମର ଆଜି ହେବ ମନ୍ତ୍ରଣାଳୟ ବଣ୍ଟନ। ଅମିତ ଶାହଙ୍କୁ ମିଳିପାରେ ଗୃହ କିମ୍ବା ଅର୍ଥ, ରାଜନାଥଙ୍କୁ ପ୍ରତିରକ୍ଷା ସମ୍ଭାବନା

କାଲି ୨୪ କ୍ୟାବିନେଟ ସହ ୫୭ ଜଣ ମନ୍ତ୍ରୀ ନେଇଥିଲେ ଶପଥ

471

କନକ ବ୍ୟୁରୋ: ମୋଦିଙ୍କ ମନ୍ତ୍ରିମଣ୍ଡଳର ରୁପରେଖ ସ୍ପଷ୍ଟ ହୋଇଛି । ଏବେ କାହାକୁ କେଇଁ ବିଭାଗ ମିଳିବ ତାକୁ ନେଇ ଆକଳନ କରାଯାଉଛି । ବିଭାଗ ବଂଟନ କରାଯିବା ପରେ ଆଜି ସଂଧ୍ୟାରେ ପ୍ରଥମ କ୍ୟାବିନେଟ ବୈଠକ ବସିବା ସୂଚନା ମିଳିଛି । ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଗଠନରୁ ପ୍ରଥମ ଥର ପାଇଁ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅମିତ ଶାହାଙ୍କୁ ଗୃହମନ୍ତ୍ରଣାଳୟ କିମ୍ବା ଅର୍ଥ ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ । ସେହିପରି ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ମଳା ସୀତାରମଣଙ୍କ ବଦଳରେ ରାଜନାଥ ସିଂହଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜ ମନ୍ତ୍ରିମଣ୍ଡଳରୁ ବାଦ ପଡିଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ଟେକ୍ନୋକ୍ରାଟ୍ ଏସ ଜୟଶଙ୍କର ମିଳିବା ସମ୍ଭାବନା ରହିଛି । ସେହିପରି ମୋଦିଙ୍କ ପ୍ରଥମ ସରକାରରେ ଆଇନ ମନ୍ତ୍ରୀ ଥିବା ରବିଶଙ୍କରଙ୍କୁ ଏଥର ବାଣିଜ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇପାରେ । ଅନ୍ୟପଟେ ହରଦିପ ସିଂଙ୍କୁ ବାଣିଜ୍ୟ ମନ୍ତ୍ରଣାଳୟ କିମ୍ବା ବୈଦେଶିକ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଦବୀ ମିଳିପାରେ । କାହାକୁ କେଉଁ ବିଭାଗ ଦିଆଯିବ, ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ଆଲୋଚନା କରି ଚୂଡାନ୍ତ କରିଥିବା ସୂଚନା ମିଳିଛି ।

ଗତକାଲି ୫୭ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ପ୍ରଥମ ଅଣକଂଗ୍ରେସ ନେତା ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୨୪ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ, ମୋଟ ୫୭ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ତେବେ କାହାକୁ କେଉଁ ଦାୟିତ୍ୱ ମିଳିବ ତାକୁ ନେଇ ସସ୍ପେନ୍ସ ଜାରି ରହିଛି ।