ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ବାରଙ୍ଗ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ।
ନିରଞ୍ଜନର ମୋବାଇଲ ଟ୍ରାକ୍ କରି ତାକୁ କଟକ ଆନନ୍ଦଚାନ୍ଦ ବଜାରରୁ ଗିରଫ କରିଛି ବାରଙ୍ଗ ପୋଲିସ । ନିରଞ୍ଜନକୁ କୋର୍ଟ ଚାଲାଣ କରାଯାଇଛି ।
କନକ ବ୍ୟୁରୋ: କଟକ ବାରଙ୍ଗ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଗତ ରବିବାର ଦିନ ଗୋଡ଼ି ସାହି ଫାଣ୍ଡି ନିକଟରେ ସୁନୀଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଥିବାବେଳେ ହତ୍ୟାର ୮ଦିନ ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛି । ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ବେହେରାଙ୍କୁ ବାରଙ୍ଗ ପୋଲିସ ଗିରଫ କରିଛି । ତାଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବାଇକ ଓ ବନ୍ଧୁକ ଜବତ କରାଯାଇଥିବା ନେଇ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍ ସୁପରିଣ୍ଟେଡେଣ୍ଟ୍ ସୁନୀଲ କୁମାର ସାହୁ ପୂର୍ବରୁ ଢେଙ୍କାନାଳରେ ଏକ ଘରୋଇ କଲେଜରେ କାମ କରୁଥିଲେ । ସେଠାରେ ସୁପରଭାଇଜର ଥିଲେ । ସେହି କଲେଜର ଜଣେ ମହିଳା ଅଧ୍ୟାପିକାଙ୍କ ସହିତ ତାଙ୍କର ଅନୈତିକ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଅଧ୍ୟାପିକାଙ୍କୁ ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେବା ସହିତ ତାଙ୍କର ଦରମା ବନ୍ଦ କରି ଦେଉଥିଲେ । ତେବେ ଏହି ଘଟଣା ସଂପର୍କରେ ଅଧ୍ୟାପିକା ଜଣକ ତାଙ୍କର ଜଣେ ବାଲ୍ୟକାଳର ବନ୍ଧୁ ନିରଞ୍ଜନଙ୍କୁ ଜଣାଇଥିଲେ । ୪ମାସ ପୂର୍ବରୁ ନିରଞ୍ଜନ ଏଥିପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଛି ବୋଲି ସ୍ୱୀକାର କରିଥିବା ପୋଲିସ୍ କମିଶନର କହିଛନ୍ତି ।
ସେପଟେ ଅଧ୍ୟାପିକା ଜଣକ କହିଛନ୍ତି କି ତାଙ୍କ ବନ୍ଧୁ ଏହି ଯୋଜନା ବିଷୟରେ କିଛି ବି ଜଣାଇ ନ ଥିଲେ ଏବଂ ସେ ହତ୍ୟାକାଣ୍ଡ ସଂପର୍କରେ କିଛି ବି ଜାଣି ନାହାଁନ୍ତି । ନିରଞ୍ଜନର ମୋବାଇଲ ଟ୍ରାକ୍ କରି ତାକୁ କଟକ ଆନନ୍ଦଚାନ୍ଦ ବଜାରରୁ ଗିରଫ କରିଛି ବାରଙ୍ଗ ପୋଲିସ । ନିରଞ୍ଜନକୁ କୋର୍ଟ ଚାଲାଣ କରାଯାଇଛି । ଘଟଣାର ଆହୁରି ତଦନ୍ତ ଚାଲିଛି ବୋଲି କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।