ବରଗଡ ଧନୁଯାତ୍ରାରେ ଚାଲିଛି କଂସ ଦରବାର । ଗୋପପୁରେ ଗୋପୀଙ୍କ ଦଧିବିକା ଓ ବସ୍ତ୍ରହରଣ । ସେପଟେ ବେଳାଭୂମି ମହୋତ୍ସବର ଶେଷଦିନରେ ସିଙ୍ଗର ରେବନ୍ତଙ୍କ ଗୀତରେ ଝୁମିଲା ଗୋପାଳପୁର

31

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଷଷ୍ଠ ଦିନରେ ବସିଛି କଂସ ଦରବାର । ରଂଗ ମହଲରେ ମହାରାଜ କଂସଙ୍କ ନିମନ୍ତ୍ରଣ ପାଇ ପହଁଚିଥିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଏବଂ ଅନ୍ତର୍ଜାତୀୟ କ୍ରିକେଟର ମାଧୁରୀ ମେହେଟା । ହେଲେ କଂସ ମହାରାଜ ଶ୍ରମମନ୍ତ୍ରୀଙ୍କୁ କଡା ତାଗିଦ କରିଥିଲେ । ମଥୁରା ନଗରୀରୁ ଦାଦନ ଚାଲାଣ ଥମୁନାହିଁ । ସ୍ଥାନେ ସ୍ଥାନେ ଶିଶୁ ଶ୍ରମିକ ନିୟୋଜିତ ଥିବା ଦେଖିବାକୁ ମିଳୁଛି । ଏହା ଉପରେ ରୋକ ନଲଗାଇଲେ ଶିର ଚ୍ଛେଦନ ହେବ ବୋଲି କଂସ ମହାରାଜ କହିଥିଲେ । ଏପଟେ ମାଧୁରୀଙ୍କୁ ମହାରାଜ କଂସ ପ୍ରଶଂସାରେ ପୋତି ପକାଇଥିଲେ ।

କହିଥିଲେ, ମାଧୁରୀ ହେଉଛନ୍ତି ମଥୁରା ନଗରୀର ଗୌରବ । ଭୟଭୀତ ନହୋଇ କ୍ରିକେଟରେ ମାଧୁରୀ ଆହୁରି ଆଗକୁ ବଢନ୍ତୁ ବୋଲି କଂସ ମହାରାଜ କହିଥିଲେ । ସେପଟେ ଗୋପପୁରେ ଜାରି ରହିଛି କୃଷ୍ଣ ଲୀଳା । ଗୁରୁବାର ଗୋପପୁରରେ ଗୋପୀଙ୍କ ଦଧିବିକା ଏବଂ ଯାତ୍ରାର ମୁଖ୍ୟ ଆକର୍ଷଣ ବସ୍ତ୍ରହରଣ ଦୃଶ୍ୟ ଅଭିନିତ ହୋଇଥିଲା ।

ଶେଷ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ । ଶୀତୁଆ ସଂନ୍ଧ୍ୟାରୁ ବିଳମ୍ବିତ ରାତି ଯାଏଁ ହଜାର ହଜାର ଦର୍ଶକ ଉପସ୍ଥିତ ରହି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବଲିଉଡ ସିଂଗର ହିମେଶ ରେଶମିଆଁ, ନେହା କକ୍କରଙ୍କ ପରେ ତେଲଗୁ ସିଂଗର ରେଭନ୍ତ ନିଜର ଜଲୱା ଦେଖାଇଛନ୍ତି । ରେଭନ୍ତଙ୍କ ଗୀତରେ ଝୁମିଛି ଗୋପାଳପୁର । ରେଭନ୍ତଙ୍କ ଗୀତ ଶୁଣିବାକୁ ବହୁ ତେଲଗୁ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।