ରାସନକାର୍ଡ ଅନିୟମିତତାକୁ ନେଇ ତୁମୁଳକାଣ୍ଡ ! ବାଲେଶ୍ୱରର ବାଲିଆପାଳ ବ୍ଲକରେ ଭଙ୍ଗାରୁଜା କଲେ ଉତ୍ୟକ୍ତ ମହିଳା

23

କନକ ବ୍ୟୁରୋ : ରାସନକାର୍ଡ଼ ଅନିୟମିତତାକୁ ନେଇ ବାଲେଶ୍ୱର ବାଲିଆପାଳ ବ୍ଲକରେ ଲଙ୍କାକାଣ୍ଡ । ଉତ୍ୟକ୍ତ ମହିଳାମାନେ ବ୍ଲକ୍ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି । ବାଲିଆପାଳ ବ୍ଲକ ଜାମୁକଣ୍ଡା ପଂଚାୟତର ୭୦ଜଣଙ୍କର କାର୍ଡ଼ କାଟି ଦିଆଯାଇଥିବା ଅଭିଯୋଗ କରି ଏହି କାଣ୍ଡ ଘଟାଇଛନ୍ତି ହିତାଧିକାରୀ । ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ନଦେବା, ସେମାନଙ୍କ ନାମ ତାଲିକାରୁ କାଟିବା ଆଦି ଘଟଣାକୁ ନେଇ ଦୀର୍ଘଦିନର ପୁଞ୍ଜିିଭୂତ ଅସନ୍ତୋଷ ଆଜି ଉଗ୍ରରୂପ ନେଇଛି । ବାରମ୍ବାର ଦାବି ସତ୍ତ୍ୱେ ବିହିତ ପଦକ୍ଷେପ ନିଆ ନଯିବାରୁ ବିଡିଓଙ୍କଠାରେ ଗୁହାରି କରିବାକୁ ଯାଇଥିବା ଶତାଧିକ ମହିଳା ବ୍ଲକ୍‌ ଦପ୍ତର ଭିତରେ ଜୋରଜରବଦସ୍ତ ପଶି ଭଙ୍ଗାରୁଜା କରିଛନ୍ତି । ଫଳରେ ବିଡିଓଙ୍କ ଅଫିସ୍‌ରେ ବ୍ୟାପକ କ୍ଷତି ଘଟିଛି ।

ଅଭିଯୋଗ ମୁତାବକ ବାଲିଆପାଳ ବ୍ଲକ୍‌ ଜାମକୁଣ୍ଡା ପଞ୍ଚାୟତର ୭୨ରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ନାମ ରାସନ କାର୍ଡ ତାଲିକାରୁ କଟିଯାଇଛି । କେବଳ ଜାମକୁଣ୍ଡା ପଞ୍ଚାୟତ ନୁହେଁ, ବ୍ଲକ୍‌ର ଅନ୍ୟ ସବୁ ପଞ୍ଚାୟତରେ ବି ଏପରି ହୋଇଛି । ଆକ୍ରୋଶମୂଳକ ଭାବେ ତାଲିକାରୁ ସେମାନଙ୍କ ନାମ କଟାଯାଇଥିବା ନେଇ ହିତାଧିକାରୀମାନେ ବିଡିଓ, ଜିଲ୍ଲାପାଳ ଓ ବିଭିନ୍ନ ଲୋକପ୍ରତିନିଧିଙ୍କୁ ଜଣାଇବା ସହ ତଦନ୍ତ କରି ନ୍ୟାୟ ଦେବାକୁ ଦାବି କରିଥିଲେ । ରାସନ୍‌ କାର୍ଡକୁ ନେଇ ପଞ୍ଚାୟତ ସମିତି ବୈଠକରେ ମଧ୍ୟ ହଟ୍ଟଗୋଳ ହୋଇଥିଲା । ଫଳରେ ଏକ ସ୍ୱତନ୍ତ୍ର ଟିମ୍‌ ଗଢ଼ାହେବା ସହ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ପୁନଃ ଚୟନ କରିବା ନେଇ ନିଷ୍ପତ୍ତି ହୋଇଥିଲା । ତେବେ ଏ ଭିତରେ ମାସେରୁ ଅଧିକ ବିତିଥିଲେ ବି ତଦନ୍ତ ହୋଇନଥିଲା ।

ଫଳରେ ଆଜି ପୁଣି କିଛି ମହିଳା ବିଡିଓଙ୍କୁ ଦାବିପତ୍ର ଦେବାକୁ ବ୍ଲକ୍‌କୁ ଯାଇଥିଲେ । ବିଡିଓ ଅନୁପସ୍ଥିତ ଥିବା ଯୋଗୁ ମହିଳାମାନେ ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟ କିରାଣିଙ୍କୁ ଦାବିପତ୍ର ଦେଇଥିଲେ । ତେବେ କୌଣସି କଥାକୁ ନେଇ ହଠାତ୍‌ ମହିଳାମାନେ ଉତ୍ତ୍ୟକ୍ତ ହେବା ସହ ବିଡିଓଙ୍କ ଅଫିସ୍‌ ଭିତରେ ପଶି ଭାଙ୍ଗାରୁଜା କରିଥିଲେ । ଖବର ପାଇ ବାଲିଆପାଳ ବିଡିଓ ମିନତି ଜେନା, ଆଇଆଇସି କ୍ଷମାସାଗର ପଣ୍ଡା ଓ ତହସିଲଦାର ଜିତେନ୍ଦ୍ର ପାତ୍ର ବ୍ଲକ୍‌ରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବାଲିଆପାଳ ପୁଲିସ ବ୍ଲକରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିିଛି ।