ବାଲେଶ୍ୱର ମେଡିକାଲ କଲେଜରେ କେବେ ହେବ ପାଠପଢା ? ସରକାରଙ୍କ ପକ୍ଷରୁ ନାହିଁ ସ୍ପଷ୍ଟ ସୂଚନା, ଆଶା ଆଶଙ୍କାରେ ଛାତ୍ରଛାତ୍ରୀ ଓ ଅଭିଭାବକ

63

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ଅନେକ ମେଡିକାଲ କଲେଜ ନିର୍ମାଣ କରାଯାଉଛି । ଓଡିଶାର ପିଲାମାନେ କିପରି ଭାବରେ ଭଲ ପାଠ ପଢିବେ ସେନେଇ ସବୁବେଳେ ରାଜ୍ୟ ସରକାର ଚିନ୍ତା କରିବା ସହ ଅନେକ ଯୋଜନା ମଧ୍ୟ କରନ୍ତି । ବର୍ତ୍ତମାନ ପ୍ରାୟ ୫ରୁ ଉର୍ଦ୍ଧ୍ୱ ମେଡିକାଲ କଲେଜ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । କେବଳ ମେଡିକାଲ କଲେଜ ନିର୍ମାଣ କଲେ ହେବ ନାହିଁ ବରଂ ସେଠାରେ ପିଲାମାନେ କିପରି ଭାବରେ ପାଠ ପଢିବେ ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ । ତେବେ ଚଳିତବର୍ଷ ବାଲେଶ୍ୱର ସରକାରୀ ମେଡ଼ିକାଲ କଲେଜ ପାଠପଢ଼ାରେ ଅନିଶ୍ଚିତତା ଦେଖାଦେଇଛି। ପୂର୍ବ ନିର୍ଧାରିତ ନିଷ୍ପତ୍ତି ଅନୁସାରେ ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ ହେବା କଥା କିନ୍ତୁ ବର୍ତ୍ତମାନ ସମୟରେ ପାଠପଢା ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ତେଣୁ କଲେଜରେ ନୂଆ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମନରେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କେଉଁ କାରଣରୁ ପାଠପଢ଼ା ବିଳମ୍ବିତ ହେଉଛି, ମେଡିକାଲ କଲେଜ ଏ ସଂପର୍କରେ ସ୍ପଷ୍ଟ କରୁ ନଥିବା ଜଣାପଡ଼ିଛି।

ବାଲେଶ୍ୱର ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷ ପାଠପଢ଼ା ଆରମ୍ଭ ନେଇ ସରକାରୀ ଘୋଷଣା ପରେ ନିଟରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ବଡ଼ ଆଗ୍ରହର ସହ ନାମ ଲେଖାଇଥିଲେ। ତେବେ କଲେଜରେ ୧୦୦ଟି ସିଟ ରହିଥିବା ବେଳେ ଏ ପର୍ଯ୍ୟନ୍ତ ୮୪ ଜଣ ଛାତ୍ରଛାତ୍ରୀ ନାଁ ଲେଖାଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବଭାରତୀୟ କୋଟା ପାଇଁ ଉଦ୍ଦିଷ୍ଟ ୧୫ଟି ସିଟ୍ ମଧ୍ୟରୁ ୪ ଜଣ ନାମ ଲେଖାଇ ଥିବାବେଳେ ରାଜ୍ୟସ୍ତରୀୟ କୋଟାରେ ଥିବା ୮୫ ସିଟରୁ ପ୍ରଥମ ପର୍ଯ୍ୟାୟରେ ଓଜେଇଇ କାଉନସେଲିଂ ଜରିଆରେ ୮୧ ଜଣ ନାମ ଲେଖାଇଛନ୍ତି। ତେଣୁ ସର୍ବଭାରତୀୟ କୋଟାରେ ବଳକା ଥିବା ୧୧ଟି ସିଟ୍ ପାଇଁ ଦ୍ୱିତୀୟ ପର୍ୟ୍ୟାୟ କାଉନସେଲିଂ ହେବା କଥା। ମାତ୍ର ଗତ ୨୦ ତାରିଖରେ ସର୍ବଭାରତୀୟ କୋଟା ଆବଣ୍ଟନକୁ ନେଇ ମୁମ୍ବାଇ ହାଇକୋର୍ଟର ନାଗପୁର ବେଞ୍ଚ ହୋଇଥିବା ଏକ ମାମଲାର ଶୁଣାଣି କରି ଅଦାଲତ ସାମୟିକ ଭାବେ ଏହା ଉପରେ ସ୍ଥଗିତାଦେଶ ଦେଇଥିଲେ। ସେହିପରି ମାଡ୍ରାସ ହାଇକୋର୍ଟରେ ମଧ୍ୟ ଦ୍ୱିତୀୟ ପର୍ୟ୍ୟାୟ ଆଡମିଶନରେ ମାର୍କକୁ ନେଇ ଏକ ମାମଲା ହେବାରୁ କୋର୍ଟ ସ୍ଥଗିତାଦେଶ ଦେଇଥିଲେ। ସେଥିପାଇଁ ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ ହେବାନେଇ କୌଣସି ସୂଚନା ଆସିନଥିବା ମେଡିକାଲ କଲେଜ କର୍ତ୍ତୃପକ୍ଷ କହିଛନ୍ତି। କିନ୍ତୁ ନାମ ଲେଖାଇ ସାରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ସଫେଇକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।

ରାଜ୍ୟର ଅନ୍ୟ ମେଡିକାଲ କଲେଜଗୁଡ଼ିକରେ ଅଗଷ୍ଟ ପ୍ରଥମ ସପ୍ତାହରୁ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବାବେଳେ କୋର୍ଟର ସ୍ଥଗିତାଦେଶ ଆଳରେ ବାଲେଶ୍ୱର ମେଡିକାଲ କଲେଜ କର୍ତ୍ତୃପକ୍ଷ ନିଜ ଦୁର୍ବଳତାକୁ ଲୁଚାଉଥିବା ଅଭିଯୋଗ ହୋଇଛି। ପାଠପଢ଼ା ଆରମ୍ଭ ନେଇ ଏଠାରେ ଏବେ ସୁଦ୍ଧା ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ସରିନଥିବା କୁହାଯାଇଛି । ଯଦି ବାଲେଶ୍ୱର ମେଡିକାଲ କଲେଜରେ ପିଲାମାନେ ପାଠ ପଢିବେ ନାହିଁ ତେବେ ସେମାନେ କେଇଁ କଲେଜରେ ଚଳିତ ବର୍ଷ ପାଠ ପଢିବେ ତାହାକୁ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିବାବକ ।