ବିଜେଡି ନିଆଁରେ ବୈଜୟନ୍ତ ଘିଅ ! କଟା ଘା’ରେ ଚୂନ ମାରି ସାଂସଦଙ୍କ ଟ୍ୱିଟ୍

46

କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରିମଣ୍ଡଳ ନବୀକରଣ ପରେ ଯେତେବେଳେ ଚାରିଆଡେ ଅସନ୍ତୋଷର ଦାନା ବାନ୍ଧୁଛି, ସିଧାସଳଖ ନେତା ସାମ୍ନାକୁ ନଆସିଲେ ବି କର୍ମୀଙ୍କ ଜରିଆରେ ପ୍ରତିବାଦ କରାଯାଉଛି, ଠିକ୍ ସେତିକି ବେଳେ ନେତା ଓ କର୍ମୀଙ୍କ ନିଆଁରେ ଘିଅ ଢ଼ାଳିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ବିଜେଡି ଘା’ରେ ଚୂନ ଲଗାଇ ଦଳର ବରିଷ୍ଠ ସାଂସଦ ଗୁରୁତ୍ୱପୂର୍ଣ୍ଣ ଟ୍ୱିଟ୍ କରିଛନ୍ତି । ଲେଖିଛନ୍ତି, ବିଜେଡିରେ ଏବେ ଚାରିଆଡେ ଅସନ୍ତୋଷ ବଢୁଛି ।

ଜଣେ କାଲି ଯାଇଥିଲେ ଆଉ ଜଣେ ଆଜି ଗଲେ । ଗତ ସପ୍ତାହରେ ଏନେଇ ମୁଁ ସତର୍କ କରାଇଥିଲି କିନ୍ତୁ ଦଳରେ ଏହାକୁ ପ୍ରତିବାଦ କରାଗଲା । ବର୍ତ୍ତମାନ ପ୍ରତିନିଧିତ୍ୱ ପାଇଲା ନାହିଁ ଜନସଂଖ୍ୟାର ଏକ ବଡ ଭାଗ । ଯାହାକୁ ନେଇ ଚାରିଆଡେ ବିଜେଡିରେ ଏବେ ଅସନ୍ତୋଷ ।

ସିଧାସଳଖ ନହେଲେ ବି ମନ୍ତ୍ରିମଣ୍ଡଳରେ ୧୮ଟି ଜିଲ୍ଲାର ପ୍ରତିନିଧିତ୍ୱ ନଥିବା ଘଟଣାକୁ ଇସାରା କରୁଛି ବୈଜୟନ୍ତ ପଣ୍ଡାଙ୍କ ଏହି ଟ୍ୱିଟ୍ । ଯାହାକୁ ନେଇ ଅସନ୍ତୋଷ କଥାବି ସାମ୍ନାକୁ ଆଣିଛନ୍ତି । କିନ୍ତୁ ମନ୍ତ୍ରୀ କରିବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର କହି ଏଡାଇଯାଇଛି ବିଜେଡି ।