କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରୁ ଆନ୍ଦୋଳନରତ ଶିକ୍ଷକଙ୍କୁ ଜୋରଜବରଦସ୍ଥ ଉଠାଇନେଲା ପୋଲିସ୍ ! ଗଣଶିକ୍ଷା ମନ୍ତ୍ରୀ କହିଲେ, ମାଟ୍ରିକ ଖାତା ମୂଲ୍ୟାୟନରେ ହେବ ନାହିଁ କୌଣସି ବିଭ୍ରାଟ

1

କନକ ବ୍ୟୁରୋ : ଶିକ୍ଷକଙ୍କ ଆନ୍ଦୋଳନ ଭଣ୍ଡୁର କରିବାକୁ ବଳ ପ୍ରୟୋଗ କଲେ ସରକାର । ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ସାମ୍ନାରୁ ଆନ୍ଦୋଳନରତ ବ୍ଲକଗ୍ରାଂଟ ଶିକ୍ଷକଙ୍କୁ ହଟାଇ ଦେଲା ପୋଲିସ । ୪ଦଫା ଦାବିରେ ମାଟ୍ରିକ ଖାତା ମୂଲ୍ୟୟନକୁ ବର୍ଜନ କରି ବ୍ଲକଗ୍ରାଂଟ ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିଲେ । ବ୍ଲକଗ୍ରାଂଟ ଉଚ୍ଛେଦ ଦାବିରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆଉ ସରକାର ସେମାନଙ୍କ ଦାବି ପୂରଣ କରିବା ସହ କେତେକ ନୂଆ ସର୍ତ ରଖିଥିଲେ । ଏପରିକି ସରକାରଙ୍କ ବିରୋଧରେ ଆଇନଗତ ମାମଲା ଲଢିପାରିବେ ନାହିଁ ବୋଲି ସତ୍ୟପାଠ ଦେବାକୁ କହିଥିଲେ । ଶିକ୍ଷକମାନେ ୪ଦଫା ଦାବି ମଧ୍ୟରେ ମୁଖ୍ୟତଃ ସତ୍ୟପାଠ ଉଚ୍ଛେଦ ଦାବି କରିଆସୁଛନ୍ତି । ଆଉ ସରକାରଙ୍କ ଧମକ ସତ୍ୱେ ମୂଲ୍ୟାୟନକୁ ବର୍ଜନ କରିଛନ୍ତି । ଏମାନଙ୍କ ବିରୋଧରେ ଶିକ୍ଷା ବିଭାଗ କଡା ପଦକ୍ଷେପ ନେଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଶିକ୍ଷକଙ୍କ ଦାବି ଆଗରେ ମୁଣ୍ଡ ନ ନୁଆଁଇ ମୁହାମୁହିଁ ହୋଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ବ୍ଲକଗ୍ରାଂଟ ଶିକ୍ଷକ ମୂଲ୍ୟାୟନକୁ ବର୍ଜନ ଭିତରେ ଆରମ୍ଭ ହୋଇଛି ପରୀକ୍ଷା ଖାତା ଦେଖା । ଖାତା ଦେଖାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । କହିଛନ୍ତି ପିଲାଙ୍କ ଖାତା ଦେଖିବା ସରକାରଙ୍କର ପ୍ରାଥମିକ ଦାୟିତ୍ୱ । ତେଣୁ ଯେମିତି ହେଲେ ବି ଠିକ୍ ସମୟରେ ଖାତା ଦେଖା ଶେଷ ହେବ ଏବଂ ଉଚିତ୍ ସମୟରେ ପରୀକ୍ଷା ରେଜଲ୍ଟ ବାହାରିବ । ତେଣୁ ସରକାରୀ ସ୍କୁଲର ୨୦ହଜାର ଶିକ୍ଷକଙ୍କୁ ନେଇ ଆରମ୍ଭ କରିଛନ୍ତି ଖାତା ଦେଖା । ଗୋଟିଏ ପଟେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ବିରୋଧ କରି ଶିକ୍ଷକ ଆନ୍ଦୋଳନ ଚଳାଇଛନ୍ତି ।

Comments are closed.