ମହିଳାଙ୍କୁ ଠକିଲେ ଭଣ୍ଡବାବା : ୭ଟି ଗୋଡ଼ି ଆଣିବାକୁ କହି ସୁନା ଅଳଙ୍କାରକୁ ଧରି ଛୁ ମାରିଲେ

139

କନକ ବ୍ୟୁରୋ : ଧର୍ମ ନାଁରେ ଆଜିକାଲି ଲୋକ ଠକାମିରେ ପଡ଼ୁଛନ୍ତି । ଧର୍ମର ଦ୍ୱାହି ଦେଇ କିଛି ଅସାଧୁ ଲୋକ ନୀରିହ ଲୋକଙ୍କୁ ଠକୁଛନ୍ତି । ତଥାପି ଚେତୁନାହାନ୍ତି ଲୋକେ । ପିଲାପିଲି ନହେଲେ ବିବାହ ନହେଲେ କିମ୍ବା ଘରେ ଅଶାନ୍ତି ହେଲେ କିଛି ଲୋକେ ଏହାର ପ୍ରକୃତ କାରଣ ନଖୋଜି ପହଞ୍ଚିଯାଆନ୍ତି ଭଣ୍ଡ ବାବାଙ୍କ ପାଖରେ । ଆଉ ଏପରି ସୁଯୋଗର ଫାଇଦା ଉଠାନ୍ତି ଭଣ୍ଡବାବା । ବିଶ୍ୱାସ ନାଁରେ ଏପରି ଘଟଣା ବାରମ୍ବାର ଘଟୁଛି ।

ଦିଲ୍ଲୀରେ ଘଟିଛି ଏପରି ଏକ ଘଟଣା । ଜଣେ ଭଣ୍ଡବାବା ଜଣେ ମହିଳାଙ୍କୁ ଏଭଳି ଠକିଥିବାର ଘଟଣା ନଜରକୁ ଆସିଛି । ପୁଲିସର ସୂଚନା ଅନୁଯାୟୀ ୫୦ ବର୍ଷୀୟା ମହିଳା ଲକ୍ଷ୍ମୀ ଫର୍ସ ବଜାର ଅଞ୍ଚଳରେ ରହନ୍ତି । ସେ ଦ୍ୱିପହରରେ କୃଷ୍ଣା ନଗର ମେନରୋଡରୁ ନିଜ ଘରକୁ ଯାଉଥିଲେ । ସେହି ରାସ୍ତାରେ ଜଣେ ବାବା ଦେଖା ହେଲେ ତାଙ୍କର । ସେହି ବାବାଙ୍କ ସହିତ ଜଣେ ଯୁବକ ବି ଥିଲେ। ସେହି ବାବା କହିଲେ ଯେ ସେ ସୁନା ଅଳଙ୍କାରକୁ ଦୁଇ ଗୁଣା କରିପାରନ୍ତି । ବାବା ଓ ଚେଲା କହିଲେ ମହିଳା ଯଦି ପାଖରେ ପଡ଼ିଥିବା ସାତଟି ଗୋଡ଼ି ଆଣିବେ,ତେବେ ସେ ସୁନା ଅଳଙ୍କାରକୁ ଦୁଇ ଗୁଣା କରିଦେବେ । ଏହାପରେ ମହିଳା ନିଜ ଦେହରେ ଥିବା ସବୁ ଅଳଙ୍କାର କାଢି ନେଇ ବାବାଙ୍କୁ ଦେଲେ ।

ତା’ପରେ ମହିଳାଜଣକ ପାଖରେ ପଡ଼ିଥିବା ଗୋଡ଼ି ଖୋଜିବା ଲାଗିଗଲେ । ମହିଳା ସେଠାରୁ ଯିବା ମାତ୍ରେ ବାବା ଓ ଚେଲା ସୁନା ଅଳଙ୍କାରତକ ନେଇ ସେଠାରୁ ପଳାଇଥିଲେ । ତା’ପରେ ମହିଳା ଜାଣିପାରିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି। ଏହାପରେ ସେ ପୁଲିସ ନିକଟରେ ଅଭିଯୋଗ କଲେ ଓ ମାମଲା ରୁଜ୍ଜୁ କରାଗଲା ।