ଦାମଙ୍କ ଗଡ଼ରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ! ପ୍ରତାପ କହିଲେ ଆହୁରି ସଙ୍ଗୀନ ହେବ ଦାମ ବାବୁଙ୍କ ସ୍ଥିତି, ଜବାବ ରଖିଲେ ଦାମ ।

ବିଜେଡ଼ି ସହ ଯିଏ ବିଶ୍ୱାସଘାତ କରିଛି ତାଙ୍କ ସ୍ଥିତି କ’ଣ ହୋଇଛି ତାହା ସମସ୍ତଙ୍କୁ ଜଣା: ପ୍ରତାପ

774

କନକ ବ୍ୟୁରୋ: ପାରାଦୀପରେ ବିଜେଡି କରିଛି ଶକ୍ତି ପ୍ରଦର୍ଶନ । ସ୍ଥାନୀୟ ବିଧାୟକ ଦାମୋଦର ରାଉତ ବିଜେଡ଼ିରୁ ବହିଷ୍କାର ହେବା ପରେ ପ୍ରଥମଥର ପାଇଁ ଆୟୋଜିତ ପଦଯାତ୍ରାରେ ଯୋଗଦେଇ ଦଳୀୟ ନେତୃବୃନ୍ଦ ନିଜର ସ୍ବରକୁ ଶାଣିତ କରିଛନ୍ତି । ଦୀର୍ଘ ୪୦ ବର୍ଷ ଧରି ଏହି ନିର୍ବାଚନମଣ୍ତଳୀରେ ରାଜନୀତି କରୁଥିବା ବ୍ୟକ୍ତି କେବଳ ନିଜ ସ୍ବାର୍ଥ ପୂରଣ ପାଇଁ କାର୍ଯ୍ୟ କରୁଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ୍ କରୁଥିବା ଏହି ବ୍ୟକ୍ତିଙ୍କୁ ଦୃଢ଼ ଜବାବ ଦେବାର ସମୟ ଆସିଛି ବୋଲି ବିଜେଡ଼ି କହିଛି ।

ପାରାଦୀପ ନଗର ବିଜେଡି ସଭାପତି ସୁମନ୍ତ ବିଶ୍ବାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ଜଗତସିଂହପୁର ସା˚ସଦ ଡାକ୍ତର କୁଳମଣି ସାମଲ, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଯୋଗଦେଇ ସ୍ଥାନୀୟ ବିଧାୟକ ଡା. ରାଉତଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ। ଏପରିକି ଦାମଙ୍କୁ ସିଧାସଳଖ ଟାର୍ଗେଟ କରି ପ୍ରତାପ କହିଛନ୍ତି ଯେ, ଯିଏ ନବୀନ ବାବୁ ଏବଂ ବିଜେଡ଼ି ସହିତ ବିଶ୍ୱାସଘାତ କରିଛି ତାଙ୍କ ସ୍ଥିତି କ’ଣ ହୋଇଛି ସମସ୍ତେ ଜାଣିଛନ୍ତି ଏବଂ ପାରାଦୀପବାସୀ ଏହାକୁ ବୁଝିଛନ୍ତି । ତେଣୁ ଦାମ ବାବୁଙ୍କ ସ୍ଥିତି ଆହୁରୀ ସଙ୍ଗୀନ ହେବ ବୋଲି ଟାର୍ଗେଟ କରିଛନ୍ତି ପ୍ରତାପ ।

ସେପଟେ ଦାମ ମଧ୍ୟ ବିଜେଡ଼ିକୁ କାଉଣ୍ଟର କରି କହିଛନ୍ତି ଯେ, ପାରାଦୀପ କାହାର ଅନାବାଦି ନୁହେଁ ଯେ, ଯିଏ ପାରିବ ସିଏ ଚାଷ କରିବ ! ପାରାଦୀପବାସୀ ସେମାନଙ୍କୁ ଗହଣ କଲେ ତ ନିର୍ବାଚନ ଲଢ଼ିବେ । ଏବଂ ପ୍ରତାପ ଜେନା ନିଜ ନିର୍ବାଚନ ମଣ୍ଡଳୀକୁ ପ୍ରଥମେ ସ୍ଥିର କରନ୍ତୁ କହି ପାଲଟା ଜବାବ ରଖିଛନ୍ତି ପାରାଦୀପ ବିଧାୟକ ଦାମ ରାଉତ । ପୂର୍ବରୁ ଦାମ ବିଜେଡ଼ିକୁ କାଉଣ୍ଟର କରିବା ପାଇଁ ନିଜ ନୂଆ ଦଳ ଗଢ଼ିବା ବାବଦରେ କହିଥିଲେ । ଏବଂ ବିଜୁଙ୍କ ନାଁରେ ଆଞ୍ଚଳିକ ଦଳକୁ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି କହିଥିଲେ ଦାମ । କିନ୍ତୁ ପୂର୍ବରୁ ବିଜେଡ଼ି ଦାମଙ୍କ ଗଡ଼ରେ ଯାଇ ଶକ୍ତି ପ୍ରଦର୍ଶନ କରିଛି ।