ସୁସ୍ଥ ଛୁଆ ଜନ୍ମ କରିବାର ସରଳ ସୂତ୍ର ବତାଇଲା କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ : ଗର୍ଭବତୀ ସ୍ତ୍ରୀଙ୍କୁ ମାଂସ ଖାଇବା ଏବଂ ଯୌନ ସଂପର୍କ ରକ୍ଷା ନକରିବାକୁ ପରାମର୍ଶ

77

କନକ ବ୍ୟୁରୋ : ସୁସ୍ଥ ଶିଶୁର ସୂତ୍ର ଦେଉଛି ମୋଦି ସରକାରଙ୍କ ଆୟୁଷ ମନ୍ତ୍ରାଳୟ । ମନ୍ତ୍ରାଳୟରେ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ଥିବା ମନ୍ତ୍ରୀ ଦେଉଛନ୍ତି ମନ୍ତ୍ରଣା । ଗର୍ଭବତୀ ମା’ ମାନେ କେମିତି ସୁସ୍ଥ ଶିଶୁ ଜନ୍ମ ଦେବେ ସେନେଇ ମା’ ଓ ଶିଶୁ ଯତ୍ନ ନାଁ ରେ ମନ୍ତ୍ରାଳୟ ପକ୍ଷରୁ ଜାରି କରିଛି ଏକ ବୁକଲେଟ୍ । ଯେଉଁଥିରେ କୁହାଯାଇଛି ଗର୍ଭବତୀମାନେ ମାଂସ ଖାଇବେ ନାହିଁ, ଯୌନ ସଂପର୍କ ରଖିବେ ନାହିଁ ଏବଂ ମନରେ ଭଲ ଭାବନା ରହିଲେ ସୁସ୍ଥ ଶିଶୁକୁ ଜନ୍ମ ଦେଇପାରିବେ । ବୁକଲେଟରେ ଆହୁରି କୁହାଯାଇଛି । କାମନା, ରାଗ-ଦ୍ୱେଷ ଆଦିରୁ ଦୂରେଇ ରୁହନ୍ତୁ । ଖରାପ ସଂଗତରୁ ଦୂରେଇ ରୁହନ୍ତୁ । ଶୋଇବା ଘରେ ସୁନ୍ଦର ସୁନ୍ଦର ଫଟୋ ଲଗାନ୍ତୁ । ଧାର୍ମିକ ଭାବନା ରଖନ୍ତୁ ଏବଂ ବହି ପଢ଼ନ୍ତୁ ।

ଏମିତି ଅନେକ ଉପଦେଶ ଦିଆଯାଇଛି । ତେବେ ପ୍ରଶ୍ନ ଉଠିଛି- ମାଂସ ଖାଇବା ଏବଂ ଯୌନ ସଂପର୍କକୁ ନେଇ । ଉଚିତ୍ ପରିମାଣର ପ୍ରୋଟିନ୍ ଏବଂ ଆଇରନ୍ ପାଇଁ ଗର୍ଭବତୀମାନଙ୍କୁ ମାଂସ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଥିବା ବେଳେ ଏହି ବୁକଲେଟରେ ଏହାକୁ ବାରଣ କରାଯାଇଛି । ସେହିପରି ଶିଶୁଟି ମା’ ଗର୍ଭରେ ଥିବାବେଳେ ୟୁଟ୍ରସ୍ ମାଂସପେଶୀ ଏବଂ ଏମନିଓଟିକ୍ ଫ୍ଲୁଇଡ୍ ଭିତରେ ସୁରକ୍ଷିତ ଥାଏ । ତେଣୁ ଯଦି ପ୍ରେଗ୍ନେନ୍ସି ନର୍ମାଲ ଥାଏ ସଂପର୍କ ରଖିବାରେ କୌଣସି ଅସୁବିଧା ନାହିଁ । ଆୟୁଷ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ପ୍ରଚାର କରୁଥିବା ଏହି ବୁକଲେଟକୁ ନେଇ ଏବେ ସୃଷ୍ଟି ହୋଇଛି ନୂଆ ବିବାଦ ।

ଏଠି ପ୍ରଶ୍ନ ଉଠିଛି । ଆୟୁର୍ବେଦ ଏବଂ ଆଲୋପାଥି ବିବାଦରେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରୁଛନ୍ତି କି ସରକାର ? ମାଂସ ଭକ୍ଷଣକୁ ବିରୋଧ କରି ହିନ୍ଦୁତ୍ୱର ଏଜେଣ୍ଡା ରଖିବାକୁ ଚାହୁଁଛନ୍ତି କି ସରକାର? ଆୟୁଷ ମନ୍ତ୍ରାଳୟ ଏଭଳି ବୁକଲେଟ୍ ବାଂଟି କେଉଁ ବାର୍ତ୍ତା ଦେବା ପାଇଁ ଚାହୁଁଛି ?