ଅଯୋଧ୍ୟା ମାମଲାର ଆଜି ସୁପ୍ରିମକୋର୍ଟରେ ଶେଷ ଶୁଣାଣି: ରାୟ ଆସିବା ପୂର୍ବରୁ ଅଯୋଧ୍ୟାରେ ପ୍ରଶାସନ ଲଗାଇଲା ୧୪୪ ଧାରା

ଦୁଇ ମାସ ଯାଏଁ ଲାଗିରହିବ ନିଷୋଧାଜ୍ଞା; ମଗାଗଲା ଫୋର୍ସ

394

କନକ ବ୍ୟୁରୋ: ଅଯୋଧ୍ୟା ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଅନ୍ତିମ ଶୁଣାଣି ପୂର୍ବରୁ ସହରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲା ପ୍ରଶାସନ । ରାୟ ଆସିବା ପୂର୍ବରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି । ଦୁଇ ମାସ ପର୍ଯ୍ୟନ୍ତ ଅର୍ଥାତ ଡିସେମ୍ବର ୧୦ ପର୍ଯ୍ୟନ୍ତ ଜିଲ୍ଲାରେ ନିଷେଧାଜ୍ଞା ଜାରି ରହିବ । ପରିସ୍ଥିତିକୁ ନଜରରେ ରଖି ବଡ ଫୋର୍ସଙ୍କୁ ମଗାଯାଇଛି । ଫୋର୍ସଙ୍କ ରହିବା ପାଇଁ ୨୦୦ଟି ବିଦ୍ୟାଳୟରେ ବ୍ୟବସ୍ଥ୍ା କରାଯାଇଛି ।

ତେବେ ଅଯୋଧ୍ୟାକୁ ଆସୁଥିବା ଶ୍ରଦ୍ଧାଳୁ ଓ ଦୀପାବଳୀ ଉତ୍ସବ ଉପରେ ଧାରା ୧୪୪ର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଜିଲ୍ଲାଧିକାରୀ ଅନୁଜ ଝା । ଆଜି ଅଯୋଧ୍ୟା ବିବାଦ ମାମଲାର ଅନ୍ତିମ ପର୍ଯ୍ୟାୟ ଶୁଣାଣି ହେବ । ଅଯୋଧ୍ୟା ମାମଲାର ଶୁଣାଣି ୧୭ ଅକ୍ଟୋବର ସୁଧା ଶେଷ କରିବାକୁ ଖଣ୍ଡପୀଠକୁ କହିଥିଲେ ମୁଖ୍ୟ ବିଚାରପତି । ଅନ୍ୟପଟେ ବିବାଦୀୟ ସ୍ଥଳିରେ ବିରାଜମାନ ଥିବା ରାମଲାଲାଙ୍କ ସହ ଦୀପାବଳୀ ପାଳିବାକୁ ବିଶ୍ୱହିନ୍ଦୁ ପରିଷଦ ନିଷ୍ପତି ନେବା ପରେ ଏହି ବିବାଦ ବଢ଼ିଛି ।

ବିଶ୍ୱ ହିନ୍ଦୁ ପରିଷଦର ନିଷ୍ପତିକୁ ବିରୋଧ କରିଛନ୍ତି ବାବରୀ ମସଜିଦ୍ ପକ୍ଷର ସମର୍ଥକ । ବାବରୀ ମସଜିଦ୍ ପକ୍ଷର ହାଜି ମେହବୁବା କହିଛନ୍ତି ଯଦି ବିବାଦୀୟ ସ୍ଥଳରେ ବିଶ୍ୱ ହିନ୍ଦୁ ପରିଷଦକୁ ଦୀପାବଳୀ ପାଳନ କରିବାକୁ ଅନୁମତି ଦିଆଯାଏ, ତେବେ ନମାଜ ପାଠ କରିବା ପାଇଁ ତାଙ୍କୁ ଅନୁମତି ଦେବାକୁ ସେ ଦାବି କରିବେ ।