୩ ଦିନ ପରେ ବି ସୁଧୁରିନି ଲୋକଙ୍କ ଅବସ୍ଥା : ଟଙ୍କା ପାଇଁ ଆଜି ବି ଏଟିଏମ୍ ଆଗରେ ଗହଳି

39

କନକ ବ୍ୟୁରୋ :  ଆଜି ଏଟିଏମ ଖୋଲିବାର ତୃତୀୟ ଦିନ । ହେଲେ ଲୋକେ ଯେଉଁ ଅସୁବିଧା ଭୋଗୁଛନ୍ତି, ସେଥିରେ ସୁଧାର ଆସୁନାହିଁ । ୫୦୦, ୧୦୦୦ ଟଙ୍କିଆ ନୋଟ ଅଚଳ ହେବା ପରେ ଆଜି ବି କାଉଁଟର ଆଗରେ ପ୍ରବଳ ଗହଳି ଦେଖିବାକୁ ମିଳିଛି ।

ଭୋରରୁ ଲୋକେ ଏଟିଏମ ଆଗରେ ଲମ୍ବାଲାଇନ ଲଗାଇଛନ୍ତି । ସମୟ ବଢିବା ସହ କାଲି ଭଳି ଆହୁରି ଭିଡ ବଢିବା ସମ୍ଭାବନା ରହିଛି । ଏଟିଏମରେ ଦିନକୁ ସର୍ବାଧିକ ୨୦୦୦ ଟଙ୍କା ଉଠାଇ ହେଉଛି । ତେବେ ରାଜଧାନୀ ଭୁବନେଶ୍ୱରରେ ଅନେକ ଏଟିଏମ୍ କାଉଁଟର ବନ୍ଦ ରହିଥିବା ଦେଖିବାକୁ ମିଳୁଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୂରା ଦେଶରେ ଖୁଚୁରା ସଂକଟ ବଢିବାରେ ଲାଗିଛି । ନୂଆ ୫୦୦ଟଙ୍କା ଏପର୍ଯ୍ୟନ୍ତ ବଜାରକୁ ଆସିନାହିଁ ।

ସେପଟେ ବ୍ୟାଙ୍କ ଯେଉଁ ନୂଆ ୨୦୦୦ ଟଙ୍କିଆ ନୋଟ ଗ୍ରାହକଙ୍କୁ ଦେଉଛନ୍ତି, ତାହାକୁ ବଜାରରେ ଖୁଚୁରା କରିବା କାଠିକର ପାଠ ହେଉଛି । ଫଳରେ ଦୈନନ୍ଦିନ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ସେହିପରି ଏଟିଏମ ଗୁଡକରେ ମଧ୍ୟ କିଛି ସମୟ ମଧ୍ୟରେ ଟଙ୍କା ସରି ଯାଉଛି । ଅନେକ ଲୋକ ଘଂଟା ଘଂଟା ଲାଇନରେ ଠିଆ ହୋଇ ଟଙ୍କା ନଉଠାଇ ପାରି ହତାଶ ହୋଇ ଶେଷରେ ଫେରୁଛନ୍ତି ।

ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦେଶବାସୀଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି । ଏଟିଏମ୍ ଅବସ୍ଥା ସୁଧୁରିବାକୁ ଆହୁରି ୨, ୩ ସପ୍ତାହ ଲାଗିବ ବୋଲି କହିଛନ୍ତି ଜେଟଲୀ । ନଗଦ ଟଙ୍କା ଅଳ୍ପ ପରିମାଣରେ ବ୍ୟବହାର ପାଇଁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଛୁଟି ଦିନରେ ବି ବ୍ୟାଙ୍କ ଖୋଲା ରହୁଛି, ତେଣୁ ପ୍ରତିଦିନ ଲାଇନରେ ଠିଆ ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହପରି ରବିବାର ଓ ସୋମବାର ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ଏବଂ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟରେ ବିଲ ଭରିହେବ । ୧୪ ତାରିଖ ଯାଏଁ ଲୋକଙ୍କ ଏହି ସୁବିଧା ମିଳିବ ।