ଆସାମରେ ଜଳ ପ୍ରଳୟ ! ବ୍ରହ୍ମପୁତ୍ର ନଦୀ ବନ୍ୟାରେ ୪୪ମୃତ, ୧୭ଲକ୍ଷ ଲୋକ ପ୍ରଭାବିତ

40

କନକ ବ୍ୟୁରୋ : ଆସାମରେ ଭୟାବହ ହୋଇଛି ବନ୍ୟା ପରିସ୍ଥିତି । ବ୍ରହ୍ମପୁତ୍ର ନଦୀରେ ଆସିଥିବା ବନ୍ୟା ଯୋଗୁଁ ରାଜ୍ୟର ୨୪ଟି ଜିଲ୍ଲାରେ ପାଖାପାଖି ୧୭ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏପର୍ଯ୍ୟନ୍ତ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଆକଳନ କରାଯାଇଛି । ଗୋଲାଘାଟରେ ବନ୍ୟା ପାଣି ଲହଡି ଭାଙ୍ଗୁଛି । ଘର ଦ୍ୱାରା ରାସ୍ତା ଘାଟ ଆଦିରେ ବନ୍ୟା ପାଣି ପ୍ରବାହିତ ହେଉଛି । ଯାହାଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବନ୍ୟା ପୀଡିତ ।

ଯୁଆଡେ ନଜର ପକାଇବେ ଖାଲି ବନ୍ୟା ପାଣି ହିଁ ଦେଖିବାକୁ ମିଳୁଛି । ଘର ଦ୍ୱାର ସହ ବଡ଼ ବଡ଼ ଗଛ ମଧ୍ୟ ଭାଙ୍ଗିପଡିଛି । ଯାହାଫଳରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି । ଡଙ୍ଗା ସାହାଯ୍ୟରେ ଲୋକେ ଯିବାଆସିବା କରୁଛନ୍ତି । ବନ୍ୟା ପୀଡିତଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୨୯୪ଟି ଅସ୍ଥାୟୀ ଶିବିର କରାଯାଇଛି । ଯୁଦ୍ଧକାଳୀନ ଭିତିରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୨ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଛି । ୧ହଜାର ୭୬୦ ହେକ୍ଟର ଫସଲ ଜମି ମଧ୍ୟ ନଷ୍ଟ ହୋଇଥିବାର ସୂଚନା ରହିଛି ।

ଗତକାଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ । ବନ୍ୟା ପୀଡିତଙ୍କୁ ଯଥାସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରଶାସନିକ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।