ଏସିଆନ ଆଥଲେଟିକ ମିଟରେ ଆଜିଠୁ ଆକ୍ସନ ! ଆଜି ଟ୍ରାକରେ ଦୌଡ଼ିବେ ଦୂତି ଚାନ୍ଦ,ଅମୀୟ ମଲିକ

19

କନକ ବ୍ୟୁରୋ : ଆରମ୍ଭ ହୋଇଛି ଏସିଆନ୍ ଆଥଲେଟିକ୍ ମିଟ୍ । ଆଜିଠାରୁ ଆରମ୍ଭ ହେବ ବିଧିବଦ୍ଧ ପ୍ରତିଯୋଗିତା । ସକାଳ ୮ଟା ୩୦ରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ । ଏସିଆନ ଆଥଲେଟିକ ମିଟରେ ଆଜି ଆକ୍ସନ ଆରମ୍ଭ ହେବ । ବିଭିନ୍ନ ଇଂଭେଟରେ ପ୍ରତିଯୋଗିତା ଆରମ୍ଭ ହେବ । ସକାଳେ ମୋଟ ୮ଟି ଇଂଭେଟରେ ପ୍ରତିଯୋଗିତା ହେବ ।

ଡେକାଥଲ. ଲଙ୍ଗ ଜମ୍ପ, ସଟ ଫୁଟ, ୧୫ ଶହ ମିଟର, ଶହେ ମିଟର ଓ ୪ ଶହ ମିଟର ଇଂଭେଟରେ ପ୍ରତିଯୋଗିତା ହେବ । ସନ୍ଧ୍ୟାରେ ପଦକ ପ୍ରଦାନ ସହ ଆଉ କିଛି ଇଭେଂଟରେ ପ୍ରତିଯୋଗିତା ହେବ । ଆଜି ଟ୍ରାକରେ ଦୌଡିବେ ଦୂତି ଚାନ୍ଦ ଓ ଅମୀୟ ମଲ୍ଲିକ । ଏସିଆନ୍ ଆଥଲେଟିକ୍ ମିଟର ବିଗୁଲ ବାଜି ସାରିଛି ।

କଳିଙ୍ଗ ଷ୍ଟାଡିଅମରେ ଉଦଘାଟିତ ହୋଇଛି ଏସିଆ ମହାଦେଶର ସବୁଠୁ ବଡ କ୍ରୀଡା ଇଭେଂଟ୍ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏସୀୟ କ୍ରୀଡା ମହାକୁମ୍ଭକୁ ସ୍ୱାଗତ କରିଛି ଓଡିଶା । ଝଲସି ଉଠିଛି କଳିଙ୍ଗ ଷ୍ଟାଡିୟମ । ମଂଚରେ ପ୍ରଦର୍ଶିତ ହୋଇଛି ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ।

ବର୍ଣ୍ଣାଢ଼୍ୟ ପରିବେଶରେ ଆଖି ଝଲସା ଅନୁଭୂତି ସାଉଁଟିଛନ୍ତି ହଜାର ହଜାର ଦର୍ଶକ । ଏକାସାଙ୍ଗରେ ୪ ଶହ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଛି କୋଣାର୍କର ଗାଥା । ଏହା ସହ ରଙ୍ଗୀନ ଆତସବାଜି କିଣି ନେଇଥିଲା ସମସ୍ତଙ୍କ ମନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରି କହିଛନ୍ତି, ଜଗନ୍ନାଥଙ୍କ କୃପାରୁ ଅତିକମ୍ ସମୟ ମଧ୍ୟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଅନ୍ତର୍ଜାତୀୟ ଦୌଡକୁଦ ସଂଘ ମଧ୍ୟ ଏଥିପାଇଁ ଓଡିଶାକୁ ଧନ୍ୟବାଦ ଦେଇଛି । ୪୫ଟି ଦେଶର ପ୍ରାୟ ୭ଶହରୁ ଅଧିକ ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ଏସିଆନ୍ ଆଥଲେଟିକ୍ ମିଟ୍ ମଂଚରେ ବଲିଉଡ଼ର ବିଶିଷ୍ଟ ଗାୟକ ଶଂକର ମହାଦେବନ ପରିବେଷଣ କରିଛନ୍ତି ରଙ୍ଗବତୀ ଗୀତ । ଯାହାକୁ ଶୁଣିଛି ସାରା ଏସିଆ ମହାଦେଶ ।