ଆଜି ଉଦଘାଟିତ ହେବ ୧୮ତମ ଏସୀୟ କ୍ରୀଡା : ଇଣ୍ଡୋନେସିଆ ଜାକର୍ତ୍ତାରେ ରଂଗାରଂଗ କାର୍ଯ୍ୟକ୍ରମ

50

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏସିଆନ ଗେମ୍ସ । ଇଣ୍ଡୋନେସିଆର ଜାକର୍ତ୍ତା ସ୍ଥିତ ପୋଲେମ ବାଙ୍ଗ ଷ୍ଟାଡିୟମରେ ୧୮ତମ ଏସୀୟ କ୍ରୀଡା ଆରମ୍ଭ ହେବ । ପ୍ରଥମ ଥର ପାଇଁ ଏସିଆନ୍ସ ଗେମ୍ସ ଦୁଇଟି ସହରରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ସଂଧ୍ୟା ୫ଟା ୩୦ରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ଉତ୍ସବ ସୋନି ଟେଲିଭିଜନରେ ପ୍ରସାରିତ ହେବ । କିନ୍ତୁ ଖେଳାଳିଙ୍କ ପରେଡ୍ ସଂଧ୍ୟା ୬.୧୫ରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

ଭାରତୀୟ ଦଳର ମାର୍ଚ୍ଚ ଫାଷ୍ଟରେ ତ୍ରିରଙ୍ଗା ଧରିବେ ଜାଭେଲିନ୍ ତାରକା ନୀରଜ ଚୋପ୍ରା । ଓଡିଆ ଝିଅ ତଥା ବ୍ୟାଡମିଂଟନ ଷ୍ଟାର ରୁତୁପର୍ଣ୍ଣା ପଣ୍ଡା ମଧ୍ୟ ଏହି କ୍ରୀଡ଼ାରେ ସାମିଲ ହୋଇଛନ୍ତି । ଉଦଘାଟନୀ ଉତ୍ସବରେ ଇଣ୍ଡୋନେସିଆର ଲୋକପ୍ରିୟ କଣ୍ଠଶିଳ୍ପୀ ଆଙ୍ଗନ, ରାଇସା, ଫତିନ ପ୍ରମୁଖ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ଏଥିପାଇଁ ୧୨୦ ମିଟର୍ ଲମ୍ବା, ୩୦ ମିଟର୍ ଓସାର ଏବଂ ୨୬ ମିଟର୍ ଉଚ୍ଚତାର ମଞ୍ଚ ପ୍ରସ୍ତୁତ ଅଛି। ୪,୦୦୦ ନୃତ୍ୟଶିଳ୍ପୀ ମଧ୍ୟ ଉଦଘାଟନୀ ଉତ୍ସବ ପାଇଁ ରିହରସାଲରେ ବ୍ୟସ୍ତ। ଏନର୍ଜି ଅଫ୍ ଏସିଆ ସ୍ଲୋଗାନ୍ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି। ଦୁଇ ସପ୍ତାହ ବିଶିଷ୍ଟ ଏହି ପ୍ରତିଯୋଗିତା ଲାଗି ଭାରତୀୟ ଅଲିମ୍ପିକ ସଂଘ ୫୭୨ ଜଣିଆ ଦଳ ପଠାଇଛି। ଯେଉଁମାନେ ମୋଟ ୩୬ ଖେଳରେ ଭାଗନେବେ। ମୋଟରେ ୪୫ ଦେଶରୁ ୧୧,୦୦୦ ଖେଳାଳି ୪୭ ଖେଳରେ ଭାଗନେବେ। ପ୍ରାୟ ୪୨୬ ପଦକ ପାଇଁ ହେବ ରବିବାରଠାରୁ ଲଢ଼େଇ। ଭାରତ ଏଥର ଗତ ସଂସ୍କରଣ ପ୍ରଦର୍ଶନକୁ ଟପିବା ଆଶାରେ ରହିଛି। ୨୦୧୪ ମସିହାରେ ଇଞ୍ଜିଅନରେ ଭାରତ ୧୧ ସ୍ୱର୍ଣ୍ଣ ପଦକ ସହିତ ମୋଟ ୫୭ ପଦକ ଜିତିଥିଲା। ଚଳିତ ବର୍ଷ ଅନୁଷ୍ଠିତ ଗୋଲ୍ଡକୋଷ୍ଟ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିବାରୁ ଏହାକୁ ଜାକର୍ତ୍ତା ଓ ପାଲେମବାଙ୍ଗରେ ଦୋହରାଇବା ନେଇ ଆଶା ରଖିଛି। କିନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାଠାରୁ ଏସିଆଡ୍ ପ୍ରତିଦ୍ୱନ୍ଦ୍ୱିତା ସ୍ତର ଉଚ୍ଚମାନର ଥିବାରୁ ଏହା ସେତେଟା ସହଜ ହେବ ନାହିଁ। ଗୋଲ୍ଡକୋଷ୍ଟରେ ଭାରତ ୨୬ ସ୍ୱର୍ଣ୍ଣ ସହ ୬୬ ପଦକ ଜିତି ତୃତୀୟ ସ୍ଥାନରେ ରହିଥିଲା।