ଆଜି ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ତାରିଖ । ସଂଧ୍ୟା ୫ଟାରେ ବିଜ୍ଞାନ ଭବନରେ ହେବ ନିର୍ବାଚନ କମିଶନଙ୍କ ପ୍ରେସମିଟ୍

ପ୍ରଚାରରେ ଯବାନଙ୍କ ଫଟୋ ବ୍ୟବହାର ମନା

132

କନକ ବ୍ୟୁରୋ: ଆଜି ଆସିପାରେ ସାଧାରଣ ନିର୍ବାଚନ ତାରିଖ । ସଂଧ୍ୟା ୫ଟାେ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି । ପ୍ରେସମିଟରେ ଲୋକସଭାନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭବନା ରହିଛି । ଲୋକସଭାର ୫୪୩ଟି ଆସନ ପାଇଁ ନିର୍ବାଚନ ୭ରୁ ୯ଟି ପର୍ଯ୍ୟାୟରେ ହୋଇପାରେ । ଲୋକସଭାର କାର୍ଯ୍ୟକାଳ ଜୁନ ୩ ତାରିଖରେ ଶେଷ ହେବ ।

ତେବେ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ, ଓଡିିଶା , ସିକିମ, ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବା ସମ୍ଭାବନା ରହିଛି । ତେଣୁ ଏକା ସଙ୍ଗରେ ଏସବୁ ରାଜ୍ୟରେ ନିର୍ବାଚନ କରିବା ପାଇଁ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ସେପଟେ ଜମ୍ମୁକଶ୍ମୀର ବିଧାନସଭା ଭଙ୍ଗକୁ ୬ ମାସ ବିତିବାକୁ ବସିଲାଣି । ତେଣୁ ସେଠାରେ ମଧ୍ୟ ନିର୍ବାଚନ କରିବାକୁ ନିର୍ବାଚନ କମିଶନ ବାଧ୍ୟ । ତେଣୁ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଆଜି ଆସିବାର ସମ୍ଭାବନା ରହିଛି ।

ସେପଟେ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିଶନ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରଚାର ବେଳେ ପାଇଁ କୌଣସି ସୈନିକଙ୍କ ପୋଷ୍ଟର ବ୍ୟବହାର କରାଯାଇପାରିବ ନାହିଁ । ସମସ୍ତ କେନ୍ଦ୍ରୀୟ ଓ ଆଂଚଳିକ ରାଜନୈତିକ ଦଳଙ୍କୁ ଏଥିପାଇଁ ନୋଟିସ କରିଛନ୍ତି ନିର୍ବାଚନ କମିଶନ । ଯେଉଁ ଦଳ ଏହା ନିର୍ଦ୍ଦେଶକୁ ଅମାନ୍ୟ କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି ।

ରାଜନୈତିକ ଦଳ ସୈନିକଙ୍କ ଫଟୋକୁ ସେମାନଙ୍କ ଫାଇଦା ପାଇଁ ବ୍ୟବହାର କରୁଥିବାରୁ ଏଥିରୁ ବିରତ ରହିବାକୁ ନିର୍ଦ୍ଦେଶ ଦେବାକୁ ନିର୍ବାଚନ କମିଶନଙ୍କୁ ରକ୍ଷାମନ୍ତ୍ରାଳୟ ଏକ ପତ୍ର ଜରିଆରେ ଅନୁରୋଧ କରିଥିଲେ । ୨୦୧୩ରେ ମଧ୍ୟ ନିର୍ବାଚନ କମିଶନ ଏଭଳି ପଦକ୍ଷେପ ନେଇଥିଲେ । ଏବେ ଅଭିନନ୍ଦନଙ୍କ ଫଟୋ ଲଗାଯାଇ ବିଭିନ୍ନ ସ୍ଥାନରେ ଅନେକ ରାଜନୈତିକ ଦଳ ପୋଷ୍ଟର ମାରିଛନ୍ତି । ଏହା ନଜରକୁ ଆସିବା ପରେ ନିର୍ବାଚନ କମିଶନ ଏଭଳି ପଦକ୍ଷେପ ନେଇଛନ୍ତି ।