ଆନ୍ନା ଆନ୍ଦୋଳନ ପାର୍ଟ-୨ ହେବ ଆହୁରି ଜୋରଦାର : ଅନଶନରେ ବସିଥିବା ଆନ୍ନାଙ୍କୁ ସାହାଯ୍ୟ କରିବ ୪୦ ଜିଣିଆ ସ୍ୱତନ୍ତ୍ର ଟିମ୍

40

ସମାଜସେବୀ ଆନ୍ନା ହଜାରେ ଶୁକ୍ରବାରଠାରୁ ରାମଲୀଳା ମଇଦାନରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଅନଶନରେ ବସିରହିଛନ୍ତି । ତାଙ୍କର ପ୍ରମୁଖ ସର୍ତ୍ତରେ ଲୋକପାଳ ବିଧାୟକଙ୍କୁ ସାମିଲ କରିବା ଥିବାବେଳେ ଆଉ ୬ ଗୋଟି ସର୍ତ୍ତ ମଧ୍ୟ ରହିଅଛି । ଏହି ସମୟରେ ଆନ୍ନାଙ୍କ ସହ ତାଙ୍କର ନୂଆ ଟିମ ଯୋଗ ଦେଇଛି । ଏହି ଟିମର ସବୁ ସଦସ୍ୟ ମାଟି ସହ ଜଡିତ ଅଛନ୍ତି । ସୂଚନା ଅନୁସାରେ ଆନ୍ନା ଆନ୍ଦୋଳନ ପାର୍ଟ-୨ ପୂର୍ବ ଆନ୍ଦୋଳନ ଅପେକ୍ଷା ଖୁବ ବଡ ଧରଣର ହେବ ।

ଏଥର ଆନ୍ନାଙ୍କ କୋର ଟିମରେ ମହାରାଷ୍ଟ୍ରର ଶିବାଜୀ ଖେଡକର ଓ କଳ୍ପନା ଇନାମଦାର, ଦିଲ୍ଲୀରୁ କର୍ଣ୍ଣେଲ ଦିନେଶ ନେନ ଏବଂ ମନିନ୍ଦ୍ର ଜେନ, ରାଜସ୍ଥାନରୁ ବିକ୍ରମ ତପ୍ପରୱାଡା, କମାଣ୍ଡର ଯଶବନ୍ତ ପ୍ରକାକ, ଦଶରଥ କୁମାର, ଓଡିଶାରୁ ଅକ୍ଷୟ କୁମାର,ପଞ୍ଜାବର କରଣବୀର ଥମନ, ଉତ୍ତର ପ୍ରଦେଶର ପ୍ରବୀଣ ଭାରତୀୟ,ସୁନୀଲ ଫୋଜୀ, ଗୌରବକାନ୍ତ ଶର୍ମା, ରାକେଶ ରଫିକ, ପିଏନ କଲକୀ ଏବଂ ସୁନୀଲ ଲାଲ ସାମିଲ ଅଛନ୍ତି ।

ଏତଦବ୍ୟତୀତ ଉତ୍ତରାଖଣ୍ଡର ସୁଶୀଲ ଭଟ୍ଟ, ଭୋପାଲ ସିଂହ ଚୌଧୁରୀ, କର୍ଣ୍ଣାଟକରୁ ରାମ ନାୟ, ଅରୁଣାଞ୍ଚଳରୁ ସେରିଫ ଫଲଗୋ, ହରିୟାଣାରୁ ନବୀନ ଜୟହିନ୍ଦଙ୍କୁ ଆନ୍ନାଙ୍କ କୋର ଟିମରେ ସ୍ଥାନ ମିଳିଛି । ଏମାନଙ୍କ ମଧ୍ୟରୁ କେହି ଯେମିତି ରାଜନୀତିରେ ଅଂଶଗ୍ରହଣ କରିବାକୁ ଚିନ୍ତା ନ କରିବେ ସେଥିପାଇଁ ଆନ୍ନା ସେମାନଙ୍କ ନିକଟରୁ ଏଫିଡେବିଟ ସାଇନ କରି ଆଣିଛନ୍ତି । ଯାହାଦ୍ୱାରା ସବୁ ସଦସ୍ୟ ସାମାଜ ପାଇଁ କାର୍ଯ୍ୟ କରିବେ ।

ଆନ୍ନାଙ୍କ କୋର ଟିମ ବିଷୟରେ ଶିବାଜୀ ଖେଡକର କହିଛନ୍ତି, ଦିଲ୍ଲୀରେ ଆନ୍ନାଙ୍କ ଦ୍ୱାରା ଉଠାଯାଇଥିବା ସର୍ତ୍ତକୁ ତାଙ୍କ ଟିମ ଲୋକଙ୍କ ପାଖରେ ପହଞ୍ଚାଇବ । ଏହାଛଡା ଅନ୍ୟାନ୍ୟ ରାଜ୍ୟର ଲୋକଙ୍କୁ ଏହି ଟିମ ସହ ଯୋଡିବାର ଦାୟିତ୍ୱ ମଧ୍ୟ ଏମାନଙ୍କ ଉପରେ ରହିଅଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ପୂର୍ବବର୍ଷ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା କିରଣ ବେଦୀ ଏବଂ ଅରବିନ୍ଦ କେଜରିବାଲ ପରବର୍ତ୍ତୀ ସମୟରେ ରାଜନୀତିରେ ଅଂଶଗ୍ରହଶ କରିଥିଲେ । ଏହି କାରଣରୁ ଆନ୍ନା ଆନ୍ଦୋଳନ ହେବା ପୂର୍ବରୁ ଟିମ ସଦସ୍ୟଙ୍କ ଏଫିଡେବିଟ ସାଇନ କରି ଆଣିଛନ୍ତି ।