କନକ ବ୍ୟୁରୋ: ଲାଂଚ ନେଲେ ଅଙ୍ଗନୱାଡି ସୁପରଭାଇଜର । କ୍ୟାମେରାରେ କଏଦ୍ ପରେ ଭିଡ଼ିଓ ଭାଇରାଲ । ଘଟଣା ଘଟିଛି ଗଂଜାମ ଜିଲ୍ଲା ଭଂଜନଗର ଅଂଚଳରେ । ବେଲଗୁଣ୍ଠା ବ୍ଲକର କ୍ଷେତ୍ରୀୟବରପୁର ସେକ୍ଟର ଅଙ୍ଗନୱାଡି ସୁପରଭାଇଜର ସୁକେଶିନୀ ରଥ ଲାଂଚ ନେଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି । ଜଣେ ଅଙ୍ଗନୱାଡି କର୍ମୀଙ୍କ ଠାରୁ ୭ ଶହ ଟଙ୍କା ଲାଂଚ ନେଉଥିବାବେଳେ ଏହି ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଘଟଣାର ସତ୍ୟାସତ୍ୟ ସଂପର୍କରେ ଜାଣିବା ପାଇଁ ଲାଂଚ ଦେଇଥିବା ଅଙ୍ଗନୱାଡି କର୍ମୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି ବିଭାଗରେ ଲାଂଚ ନଦେଲେ କିଛି କାମ ହୁଏନି । ଅଣ୍ଡା ଓ ଛତୁଆ ବଂଟନ ଠାରୁ ଆରମ୍ଭ କରି ପିଲାମାନଙ୍କୁ ଡ୍ରେସ୍ ବଂଟନ, ରନ୍ଧା ଖାଦ୍ୟ ଯୋଗାଣ ଇତ୍ୟାଦି ଫର୍ମରେ ଦସ୍ତଖତ କରିବା ପାଇଁ ଲାଂଚ ଦେବାକୁ ପଡିଥାଏ ।
ଏପରିକି ଏସ୍.ଏଚ୍.ଜି ଗ୍ରୁପର ଲୋନ୍ ପଂର୍ମରେ ଦସ୍ତଖତ କରିବା ପାଇଁ ମଧ୍ୟ ମୁଣ୍ଡ ପିଛା ୫୦୦ ଟଙ୍କା ଦେବାକୁ ପଡ଼ିଥାଏ ବୋଲି ଅଭିଯୋଗ ହୋଇଛି । ତେବେ ଏହି ଲାଂଚ ଭିଡିଓ ଭାଇରାଲ ପରେ ଘଟଣା ସଂପର୍କରେ ଭଂଜନଗର ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପରେ ବି ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାପଡିଛି ।