ଅମୃତସର ଟ୍ରେନ ନେଲା ୬୦ରୁ ଅଧିର ଜୀବନ ! ଘଟଣାସ୍ଥଳ ଦେଖିଲେ ମୁଖ୍ୟମନ୍ତ୍ରୀ, ସେପଟେ କେନ୍ଦ୍ର ମନ୍ତ୍ରୀ କହିଲେ, ରେଳ ବିଭାଗର ଦୋଷ ନାହିଁ ।

46

କନକ ବ୍ୟୁରୋ : କାଳ ହୋଇ ମାଡି ଆସିଲା ଟ୍ରେନ ଆଉ ଆଖି ପିଛୁଳାକେ ନେଇଗଲା ଅନେକ ଜୀବନ । ଏଯାଏଁ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ଥିବା କୁହାଯାଉଛି । ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ପର୍ଯ୍ୟଟନ ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ ବୁଲି ଦେଖିବା ସହ ଆହତଙ୍କୁ ଭେଟିଛନ୍ତି । ଏହା ସହ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଏଥିରେ ରେଳବାଇର କୌଣସି ଦୋଷ ନାହିଁ ଏବଂ ତଦନ୍ତ କାହାର ବୋଲି କହିଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ।

ଲୌହ ଦାନବର ରକ୍ତଭୋଜି । ରାବଣପୋଡି ଦେଖୁଥିବା ଭିଡ ଉପରେ ମାଡିଗଲା ଟ୍ରେନ୍ । ଭିଡ ଉପରେ ଯେତେବେଳେ ଦ୍ରୁତଗାମୀ ଟ୍ରେନ ମାଡି ଗଲା, ଖଣ୍ଡ ବିଖଣ୍ଡ ହୋଇଗଲା ଲୋକଙ୍କ ଶରୀର ।  ଆର୍ତ ଚିକ୍ରାର ଶୁଭିବା ସହ ରକ୍ତର ଛିଟାରେ ଭିଜିଗଲା ସାରା ଅଂଚଳ । ପଂଜାବର ଅମୃତସର ସହର ନିକଟ ୨୭ ନମ୍ବର ଫାଟକ ନିକଟରେ ଘଟିଛି ଏହି ଘଟଣା । ଶନିବାର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଡାକ୍ତରଖାନାରେ ଚିକିତ୍ସାଧିନ ଆହତଙ୍କୁ ଭେଟିଛନ୍ତି । ପୂର୍ବରୁ ସେମାନଙ୍କୁ ମାଗଣା ଚିକିତ୍ସା କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏପଟେ ବିଳମ୍ବରେ ମୁଖ୍ୟମନ୍ତ୍ରୀ ପୀଡିତଙ୍କୁ ଭେଟୁଥିବା ଅଭିଯୋଗରେ ଲୋକେ କଡା ବିରୋଧ ପ୍ରଦର୍ଶନ କରିଛନ୍ତି । ରେଳ ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା । ଶନିବାର ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଏଥିରେ ରେଳବାଇର କୌଣସି ଦୋଷ ନାହିଁ ବୋଲି ଦୃଢତାର ସହ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହା ସହ ଘଟଣା ନେଇ ତଦନ୍ତ ଆବଶ୍ୟକତା ନାହିଁ  ବୋଲି ସେ କହିଛନ୍ତି । ଏହି ଦୁର୍ଘଟଣାରେ ୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦ ରୁ ଅଧିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏପଟେ ଅନେକ ମୃତକଙ୍କ ପରିଚୟ ଏଯାଏଁ ମିଳି ପାରି ନାହିଁ ।