ରାବଣ ପୋଡ଼ି ସମୟରେ ୧୫ ସେକେଣ୍ଡରେ କେମିତ ଘଟିଲା ଦୁର୍ଘଟଣା ? କ୍ୟାମେରାରେ କଏଦ ହେଲା ଦୁର୍ଘଟଣା ସମୟର ଦୃଶ୍ୟ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

35

କନକ ବ୍ୟୁରୋ : ପଂଜାବ ଅମୃତସର ଟ୍ରେନ ଦୁର୍ଘଟଣାର ସେହି ୧୫ ସେକେଣ୍ଡ କଥା ଭାବିଲେ ଆପଣଙ୍କ ଦେହ ଥରି ଉଠିବ । ଯେତେବେଳେ ଗୋଟିଏ ପଟେ ରାବଣ ପୋଡି ଚାଲିଥିଲା, ଶହ ଶହ ସଂଖ୍ୟାରେ ଲୋକ ରାବଣ ପୋଡି ଦୃଶ୍ୟ ଦେଖିବାରେ ବ୍ୟସ୍ତ ଥିଲେ । ବହୁ ସଂଖ୍ୟାରେ ଦର୍ଶକ ଟ୍ରେନ ଟ୍ରାକ ଉପରେ ଠିଆ ହୋଇଥିଲେ । ସେମାନଙ୍କ କାନକୁ ରାବଣ ପୋଡି ସମୟର ବାଣ ଫୁଟିବାର ଶବ୍ଦ ଶୁଣାଯାଉଥିଲା । ଆଉ ଠିକ୍ ଏହି ସମୟରେ ଦ୍ରୁତ ଗତିରେ ମାଡି ଆସିଥିଲା ଟ୍ରେନ । ମାତ୍ର ୧୫ ସେକେଣ୍ଡ ଭିତରେ ସବୁକିଛି ଛାରଖାର ହୋଇଯାଇଥିଲା । ଚାହୁଁଚାହୁଁ ଚଢିଗଲା ଟ୍ରେନ, ଚାଲିଗଲା ଜୀବନ । ଏସବୁ ଘଟିଥିଲା ମାତ୍ର ୧୫ ସେକେଣ୍ଡ ଭିତରେ । ଦୁର୍ଘଟଣା ଘଟିବାର ସେହି ସମୟର ଦୃଶ୍ୟ କଏଦ ହୋଇଥିଲା କ୍ୟାମେରାରେ । ଟ୍ରେନ ଟ୍ରାକ ଉପରେ ଠିଆ ହୋଇ ଲୋକେ ରାବଣ ପୋଡିର ଦୃଶ୍ୟ ସହିତ ସେଲଫି ନେଉଥିବା ବେଳେ କେତେ ବେଳେ ହଠାତ ଚାଲିଆସିଲା ଟ୍ରେନ, କେହି ବୁଝି ପାରିଲେନି । ଦେଖୁ ଦେଖୁ ଚାଲିଗଲା ଗୋଟିଏ ପରେ ଗୋଟିଏ ଜୀବନ ।

ପଂଜାବ ଅମୃତସର ଟ୍ରେନ ଦୁର୍ଘଟଣାରେ ଏଯାଏଁ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ୪୦ ଜଣ ଆହତ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଗୁରୁତର ଆହତଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ଡାକ୍ତର ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ୨୪ ଘଂଟିଆ ନଜର ରଖିଛନ୍ତି । ସେହିପରି ମୃତାହତ ପରିବାର ଲୋକଙ୍କ ପାଇଁ ହେଲପ ଡେକ୍ସ ଗଠନ ଓ ହେଲପ ଲାଇନ ନଂବର ଜାରି କରାଯାଇଛି । ଅନ୍ୟପଟେ ଆଜି ପଂଜାବର ସବୁ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଚୌଡ଼ା ବଜାର ନିକଟରେ ରେଳୱେ ଟ୍ରାକ୍ ପାଖରେ ରାବଣ ପୋଡି ଉତ୍ସବ ପାଳନ କରାଯାଉଥିଲା । ବାଣ ଫୁଟା ବେଳେ ଲୋକମାନେ ରେଳୱେ ଟ୍ରାକ ଭିତରକୁ ଚାଲି ଆସିଥିଲେ । ସେମାନଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଜଳନ୍ଧର-ଅମୃତସର ଏକ୍ସପ୍ରେସ ଚଢି ଯାଇଥିଲା । ଏହା ଏପରି ଏକ ଆକସ୍କିକ ଦୁର୍ଘଟଣା ଥିଲା ଯେ ଲୋକ କିଛି ଭାବିବା ପୂର୍ବରୁ ସେମାନଙ୍କ ଉପରେ ମାଡି ଯାଇଥିଲା ଟ୍ରେନ୍ । ରାବଣ ପୋଡି ଉତ୍ସବରେ ପଂଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ହେଲେ ଦୁର୍ଘଟଣା ପରେ ସେ ସ୍ଥାନ ଛାଡି ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି ।

ଅମୃତସର ଦୁର୍ଘଟଣା ପରେ ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଛି ବେଶ କରୁଣ ଦୃଶ୍ୟ । ସମସ୍ତଙ୍କ ଆଖିରେ ଲୁହ, ମୃତାହତଙ୍କ ପରିବାର ହସ୍ପିଟାଲ ପରିସରରେ ଅପେକ୍ଷା କରିଛନ୍ତି । ସମଗ୍ର ହସ୍ପିଟାଲ ପରିସରରେ ଛାଇ ଯାଇଛି ଦୁଃଖର ବାଦଲ । ଏପରି ଅକସ୍ମାତ ଦୁର୍ଘଟଣାରେ ନିଜ ପରିବାର ଲୋକଙ୍କୁ ହରାଇଥିବା ଘଟଣାକୁ ଲୋକେ ଗ୍ରହଣ କରିପାରୁ ନାହାନ୍ତି । ଆହତଙ୍କୁ ଅମୃତସରର ସିଭିଲ ହସ୍ପିଟାଲ, ସରକାରୀ ଡାକ୍ତରଖାନା ଓ ଘରୋଇ ମେଡିକାଲରେ ଭର୍ତି କରାଯାଇଛି । ସେହିପରି ମୃତଦେହ ଗୁଡିକ ବ୍ୟବଚ୍ଛେଦ କରିବା ପାଇଁ ମଧ୍ୟ ମେଡିକାଲର ମର୍ଗ ରୁମରେ ରଖାଯାଇଛି ।