ପୁରୀରେ ନିଆଁ ଜଳିବା ଘଟଣାରେ କ୍ଷୁବ୍ଧ ହେଲେ ଆମିକସ କ୍ୟୁରି! ଶ୍ରୀମନ୍ଦିର ପ୍ରଶାସନକୁ ମାଗିଲେ ହିଂସାକାଣ୍ଡ ସମୟର ଭିଡିଓ

36

କନକ ବ୍ୟୁରୋ : ପୁରୀ ବନ୍ଦବେଳେ ଦେଖାଦେଇଥିବା ହିଂସାକାଣ୍ଡକୁ ନେଇ ଖୁବ କଡା ଆଭିମୁଖ୍ୟ ଦେଖାଇଛନ୍ତି ଆମିକସ କ୍ୟୁରି । ପୋଡାଜଳା ଓ ଭଙ୍ଗାରୁଜାର ଭିଡିଓ ସହ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି । ଏପରିକି ଘଟଣାଦିନ ବାରମ୍ବାର ଫୋନ୍ କରି ପୁରା ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ ହୋଇଥିବାରୁ ପ୍ରତିବାଦ ପରେ ଚିନ୍ତା ବଢିଛି । ଆଉ ସୁପ୍ରିମକୋର୍ଟଙ୍କ ପରବର୍ତି ଶୁଣାଣିବେଳେ ଆମିକସ କ୍ୟୁରିଙ୍କ ଆଭିମୁଖ୍ୟ ବେଶ ଗୁରୁତ୍ୱ ରଖୁଛି ।

ପୁରୀ ବନ୍ଦବେଳେ ହୋଇଥିବା ହିଂସାକାଣ୍ଡର ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି । ଶ୍ରୀମନ୍ଦିର ପ୍ରଶାସନକୁ ସମସ୍ତ ତଥ୍ୟ ଓ ଭିଡିଓ ଫୁଟେଜ୍ ଦେବାକୁ କହିଛନ୍ତି ଗୋପାଳ ସୁବ୍ରମଣ୍ୟମ । ବୁଧବାର ଜଗନ୍ନାଥ ଧାମ ଜଳିବା ପରେ ବାରମ୍ବାର ଫୋନ୍ କରି ସେ ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ପରେ ଏହାକୁ ନେଇ ହୋଇଥିବା ପ୍ରତିବାଦ ଚିନ୍ତା ବଢାଇ ଦେଇଛି ।

PURIସେପଟେ ପ୍ରଶାସନର ଗୋଟିଏ ନିଷ୍ପତିକୁ ବିରୋଧ କରିବା ଲାଗି ଶାନ୍ତିପ୍ରିୟ ପୁରୀରେ ଯେଭଳି ହିଂସାର ନିଆଁ ଜଳିଲା ତାକୁ ନେଇ ତନାଘନା ଆରମ୍ଭ ହୋଇଛି । ପୋଲିସ ଡିଜି ପୁରୀରେ ପହଞ୍ଚି ପୁରା ଘଟଣାର ଅନୁଧ୍ୟାନ କରିଛନ୍ତି । ଭିଡିଓ ଫୁଟେଜ ଆଧାରରେ ହିଂସାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜି କହିଛନ୍ତିି ।ଆଉ ଏସବୁ ଭିତରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ନିଃସର୍ତରେ ଛାଡି ଦେଇଛି ପୋଲିସ । ପୁରୀରେ ଶାନ୍ତି ଫେରିଆସିଥିବାରୁ ସେନା ପକ୍ଷରୁ ଦୀପଦାନ କରାଯାଇଛି । ହେଲେ ପୁରୀ ଅଂଚଳର ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଥିବାରୁ ଏହାକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା ।

ବୁଧବାରର ପୋଡାଜଳା ଓ ହିଂସାକାଣ୍ଡକୁ ନେଇ ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର ପୁରୀ । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନବେଳେ କେଉଁମାନେ ଏଭଳି ଉଗ୍ର ଆଚରଣ ପ୍ରଦର୍ଶନ କଲେ ସେମାନଙ୍କୁ ଚିହ୍ନଟ କରିବାକୁ ଦାବି ଜୋର ହୋଇଛି । ଶ୍ରୀମନ୍ଦିରରେ ଶୃଙ୍ଖଳା ଫେରାଇ ଆଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିଥିଲା ପ୍ରଶାସନ । ଏହାକୁ ବିରୋଧ କରି ହିଂସାତ୍ମକ ଆନ୍ଦୋଳନ ପରେ ଆଗାମୀ ୨୩ରେ ସୁପ୍ରିମକୋର୍ଟରେ ଆମିକସ କ୍ୟୁରିଙ୍କ ଆଭିମୁଖ୍ୟ ଉପରେ ନଜର ରହିବ ।