ଭାରତ-ଋଷ ସମ୍ପର୍କ ଉପରେ ଆମେରିକାର ଆଖି: ପ୍ରସ୍ତାବିତ ଏସ-୪୦୦ ମିସାଇଲ ସିଷ୍ଟମ୍ ଚୁକ୍ତି ନେଇ ପ୍ରତିବାଦ ଜାହିର କଲା ଟ୍ରମ୍ପ ପ୍ରଶାସନ

70

କନକ ବ୍ୟୁରୋ: ଭାରତ-ଋଷ ସମ୍ପର୍କ ଉପରେ ଆମେରିକାର ଆଖି । ଋଷ ସହ ଭାରତର ଅସ୍ତ୍ରଶସ୍ତ୍ର ଚୁକ୍ତିକୁ ନେଇ ଟ୍ରମ୍ପ ପ୍ରଶାସନର ପ୍ରତିବାଦ । ବିଶେଷ କରି ଋଷ ଠାରୁ ଭାରତ କ୍ରୟ କରିବାକୁ ଥିବା ଏସ-୪୦୦ ଟ୍ରିଉମ୍ଫ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମକୁ ନେଇ ଆମେରିକା ନିଜର ଅସନ୍ତୋଷ ଜାହିର କରିଛି । ଆମେରିକାର ନୂଆ ନିୟମ ‘କାଟସା’ ବା କାଉଂଟରିଂ ଆମେରିକାସ୍ ଆଡଭର୍ସରିଜ୍ ଥ୍ରୁ ସାଙ୍କସନ୍ ଆକ୍ଟ ଅନୁଯାୟୀ ଋଷ ସହ ଭାରତର ପ୍ରସ୍ତାବିତ ଯୁଦ୍ଧାସ୍ତ୍ର ଚୁକ୍ତି ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିଛି ଟ୍ରମ୍ପ ପ୍ରଶାସନ ।

ଭାରତ ସହ ଋଷର ୫ ଦଶମିକ ୫ ବିଲିୟନ୍ ଡଲାର ମୂଲ୍ୟର ପ୍ରସ୍ତାବିତ ଏସ-୪୦୦ ମିସାଇଲ ସିଷ୍ଟମ ଚୁକ୍ତିକୁ ନେଇ ରୋକଠୋକ୍ ପ୍ରତିବାଦ ଜଣାଇଛି ଆମେରିକା କଂଗ୍ରେସ । ଭାରତ ଯଦି ଋଷ ସହ ଏହି ପ୍ରସ୍ତାବିତ ଚୁକ୍ତିକୁ ବାତିଲ ନକରେ ତେବେ ସମ୍ପର୍କ ପ୍ରଭାବିତ ହୋଇପାରେ ବୋଲି ଆମେରିକା କହିଛି । ଭାରତ ଗସ୍ତରେ ଆସିଥିବା ଆମେରିକାର ହାଉସ୍ ଆର୍ମଡ୍ ସର୍ଭିସେସ କମିଟିର ଅଧ୍ୟକ୍ଷ ୱିଲିୟମ୍ ମାକ୍ ଥର୍ଣ୍ଣବେରି ଏ ସଂପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି, ଭାରତ ଯଦି ଋଷ ଠାରୁ ଏସ-୪୦୦ ମିସାଇଲ କ୍ରୟ କରେ ତେବେ ଆମେରିକା ସହ ପ୍ରସ୍ତାବିତ ଏମକ୍ୟୁ-୯ ରିପର ଓ ପ୍ରେଡାଟର-ବି ଭଳି ଆର୍ମଡ୍ ଡ୍ରୋନ୍ ସହ ଅନ୍ୟ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଚୁକ୍ତି ପ୍ରଭାବିତ ହୋଇପାରେ । ତେବେ ଆମେରିକାର ଏପରି ଆଭିମୁଖ୍ୟ ପରେ ଭାରତ ଓ ଋଷର ପ୍ରସ୍ତାବିତ ୧୨ ବିଲିୟନ୍ ଡଲାର ପ୍ରତିରକ୍ଷା ପ୍ରକଳ୍ପର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି ।