ଅନଲାଇନ୍ ସପିଂ ସାଇଟ ଆମାଜନରେ ତ୍ରିରଂଗାକୁ ଅସମ୍ମାନ:କାନାଡାରେ ବିକ୍ରି କରୁଥିଲା ତ୍ରିରଂଗା ଅଙ୍କିତ ପାପୋଛ

174

କନକ ବ୍ୟୁରୋ : ଭାରତୀୟ ଜାତୀୟ ପତାକାକୁ ଅସମ୍ମାନ । ଅନଲାଇନ ସାମଗ୍ରୀ ବିକ୍ରି କରୁଥିବା କମ୍ପାନୀ ଆମାଜନକୁ ତାଗିଦ । କାନାଡାରେ ଭାରତୀୟ ଜାତୀୟ ପତାକା ଥିବା ପାପୋଛ ବିକ୍ରି କରିବା ଉପରେ ଭାରତ ଆପତ୍ତି ଜଣାଇଛି । ଏହାପରେ ଆମାଜନ ୱେବସାଇଟରୁ ଏହି ସାମଗ୍ରୀକୁ ହଟାଇ ଦିଆଯାଇଛି । କିନ୍ତୁ କମ୍ପାନୀ ପକ୍ଷରୁ କୌଣସି କ୍ଷମା ପ୍ରାଥର୍ନା କରାଯାଇନାହିଁ । କାନାଡାରେ ଆମାଜନ ଭାରତୀୟ ଜାତୀୟ ପତାକା ଥିବା ପାପୋଛ ବିକ୍ରି କରୁଥିବା ନେଇ ଜଣେ ବ୍ୟକ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ୱିଟ୍ ମାଧ୍ୟମରେ ଜଣାଇଥିଲେ ।

ଏହାକୁ ନେଇ ପଦକ୍ଷେପ ଗ୍ରହଣ କରିଥିଲେ ସୁଷମା । ଆମାଜନ ନିସର୍ତ୍ତ କ୍ଷମ ମାଗିବା ସହ ଏହି ପ୍ରଡକ୍ଟକୁ ଫେରାଇ ନେଉ ବୋଲି ଟ୍ୱିଟ୍ କରିଥିଲେ ସୁଷମା ସ୍ୱରାଜ । ଏହାସହ ଆମାଜନ ଅଧିକାରୀଙ୍କୁ ଭିସା ନ ଦେବା ସହ ଭାରତରେ କାର୍ୟ୍ୟ କରୁଥିବା କମ୍ପାନୀ କର୍ମଚାରୀଙ୍କର ଭିସା ମଧ୍ୟ ରଦ୍ଦ କରି ଦିଆଯିବ ବୋଲି ସୁଷମା ଚେତାବନୀ ଦେଇଥିଲେ । ଏହାସହ କାନାଡାରେ ଥିବା ଭାରତୀୟ ଦୂତାବାସକୁ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଆମାଜନ ୱେବସାଇଟରୁ ଏହି ପ୍ରଡକ୍ଟକୁ ହଟାଇ ଦେଇଛି । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏଯାଏଁ କ୍ଷମା ପ୍ରାର୍ଥନା କରିନାହାନ୍ତି ।