ରାଜ୍ୟସଭା ନିର୍ବାଚନ ପାଇଁ ୟୁପିରେ ହୋଇଛି ‘ଚାୟ ପେ ଚର୍ଚ୍ଚା’ ଓ ‘ଡିନର ଡିପ୍ଲୋମାସି’ ! ଅଲଗା ଅଲଗା ରାତ୍ରି ଭୋଜି ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସପା ମୁଖ୍ୟ ଅଖିଳେଶ ଯାଦବ

37

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଡିନର ଡିପ୍ଲୋମାସି । ଉତ୍ତରପ୍ରଦେଶରେ ୨୩ ମାର୍ଚ୍ଚରେ ରାଜ୍ୟସଭାର ୧୦ଟି ସିଟ୍ ପାଇଁ ହେବ ନିର୍ବାଚନ । ଆଉ ଏଥିପାଇଁ ଦଳଗୁଡ଼ିକ ମଧ୍ୟରେ ଏବେ ଠାରୁ ତତପର ହୋଇଉଠିଲେଣି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚାୟ ପେ ଚର୍ଚ୍ଚା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଡିନର ଡିପ୍ଲୋମାସିର ସାହାରା ନେଇଛନ୍ତି । ଉଭୟେ ଅଲଗା ଅଲଗା ଡିନର ପାର୍ଟିର ଆୟୋଜନ କରିଛନ୍ତି । ଉଭୟ ଶାସକ ଓ ବିରୋଧୀଦଳ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ନିଜ ନିଜ ଆଡକୁ ଟାଣିବା ପାଇଁ କୌଶଳ ଆପଣାଇଛନ୍ତି ।

ବହୁ ମନୋମାଳିନ୍ୟ ସତ୍ୱେ ସମାଜବାଦୀ ପାର୍ଟିର ବିଧାୟକ ତଥା ଅଖିଳେଶଙ୍କ ଦାଦା ଶିବପାଲ ଯାଦବ ଅଖିଳେଶଙ୍କ ଡିନର ପାର୍ଟିରେ ଯୋଗ ଦେଇଛନ୍ତି । ସେହିପରି ଯୋଗୀଙ୍କ ଡିନର ପାର୍ଟିରେ ଅସନ୍ତୁଷ୍ଟ ବିଜେପି ବିଧାୟକ ଓମପ୍ରକାଶ ରାଜଭର ଯୋଗ ଦେଇଥିଲେ । ସ୍ୱାଧୀନ ବିଧାୟକ ଅମର ମଣୀ ତ୍ରିପାଠୀ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ । ତେବେ ସପା ବିଧାୟକ ନୀତିନ୍ ଅଗ୍ରୱାଲ ମଧ୍ୟ ଯୋଗୀଙ୍କ ଡିନରରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ୟୁପିରେ ରାଜ୍ୟସଭାର ୧୦ଟି ସିଟ୍ ପାଇଁ ଆସନ୍ତା ଶୁକମ୍ରବାର ମତଦାନ ହେବାର ଅଛି । କେନ୍ଦ୍ରରେ ବିଜେପି ବହୁମତରେ ରହିଛି । ଏଥିପାଇଁ ୟୁପିରେ ବିଜେପି ୮ଟି ସିଟ୍ ଅକ୍ତଆର କରିବ ବୋଲି ସ୍ୱଷ୍ଟ ହେଉଛି । ଅନ୍ୟପଟେ ସପା ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବ । ଅନ୍ୟଏକ ସିଟରୁ ବିଜେପିର ଅନୀଲ ଅଗ୍ରୱାଲ ଓ ବିଏସପିର ଭୀମରାଓ ଆମ୍ବେଦକର ମଧ୍ୟରେ ମୁକାବିଲା ରହିଛି । ସପା ବିଏସପିକୁ ସମର୍ଥନ ଜଣାଇବା ପାଇଁ ନିଷ୍ପତ୍ତି ନେଇଛି ।