ଅଚଳ ହେଲା ଏୟାରସେଲ ! ମଙ୍ଗଳବାର ରାତି ୧୨ଟାରୁ ଆରମ୍ଭ ହୋଇଛି ସମସ୍ୟା

52

ମଙ୍ଗଳବାର ମଧ୍ୟରାତ୍ରିରୁ ସାରା ଓଡ଼ିଶାରେ ଏୟାରସେଲ ନେଟଓ୍ଵର୍କ ଉଡ଼ିଯାଇଛି । ଓଡ଼ିଶାରେ ଏକ ଅଗ୍ରଣୀ ମୋବାଇଲ ନେଟଓ୍ଵର୍କ କମ୍ପାନି ବୋଲି ଦାବି କରୁଥିବା ଏୟାରସେଲର ନେଟଓ୍ଵର୍କ ଉଡ଼ିଯିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗତକାଲି ଦିନତମାମ ନେଟଓ୍ଵର୍କ ନ ଥିବା ଅଭିଯୋଗ ହୋଇଛି । ଏୟାରସେଲ କମ୍ପାନିର କଷ୍ଟମର କେୟାରକୁ ନମ୍ବରକୁ ଯୋଗାଯୋଗ କରାଗଲେ କେଉଁ କାରଣ ପାଇଁ ନେଟଓ୍ଵର୍କ ନାହିଁ ତାହାର ସ୍ପଷ୍ଟ କାରଣ ରଖିପାରୁ ନାହାନ୍ତି ଅଧିକାରୀ । ଯଦିଓ ସଂଧ୍ୟାରେ କିଛି ମୋବାଇଲରେ ନେଟଓ୍ଵର୍କ ଆସିଥିବା ସୂଚନା ମିଳିଛି । ତେବେ ନେଟଓ୍ଵର୍କକୁ ନେଇ ହୋଇଥିବା ସମସ୍ୟାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ୧୨ଟା ବେଳକୁ ଏୟାରସେଲ ନେଟଓ୍ଵର୍କ ଅଚଳ ହୋଇ ଯାଇଥିଲା । ରାତିରେ ନେଟଓ୍ଵର୍କ ଚାଲିଯାଇଥିଲେ ହେଁ ଲୋକମାନେ ସକାଳେ ଫୋନ୍ କରିବା ସମୟରେ ଏହାକୁ ଅନୁଭବ କରିଥିଲେ । ଏୟାରସେଲ ନେଟଓ୍ଵର୍କ ନ ଥିବାରୁ ଗ୍ରାହକମାନେ ଅନ୍ୟ ନମ୍ବର ଏୟାରସେଲ କଷ୍ଟମର କେୟାରକୁ ଯୋଗାଯୋଗ କରିଥିଲେ । ମାତ୍ର କଷ୍ଟମର କେୟାରରେ ଥିବା ଅଧିକାରୀ ଏଭଳି ସମସ୍ୟା ନେଟଓ୍ଵର୍କ ଜାମ୍ ଯୋଗୁଁ ହୋଇଥିବା କହିଥିଲେ । ଆସନ୍ତା ୪/୬ଘଣ୍ଟା ପରେ ଏହି ସମସ୍ୟାର ସମାଧାନ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି । କଷ୍ଟମର କେୟାରକୁ ଯୋଗାଯୋଗ କରାଗଲେ ସେମାନେ କେଉଁ ଅଞ୍ଚଳରେ ନେଟଓ୍ଵର୍କ ନାହିଁ ଓ କେଉଁ ନମ୍ବରରେ ଏଭଳି ସମସ୍ୟା ହେଉଛି ତାହାର ସମାଧାନ ପାଇଁ ସେସବୁ ନମ୍ବରକୁ ଟିପି ରଖୁଛନ୍ତି । ମାତ୍ର ସଂଧ୍ୟା ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇପାରି ନାହିଁ ।

ଅପରପକ୍ଷରେ ଏଭଳି ସମସ୍ୟା ଦେଖାଦେବା ପରେ ଅନେକ ଗ୍ରାହକ ଫର୍ଚୁନ୍ ଟାଓ୍ଵାରରେ ଥିବା ଏୟାରସେଲର ଆଞ୍ଚଳିକ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ । ସେଠାରେ ଥିବା ଅଧିକାରୀ ଏ ବିଷୟରେ କିଛି କହିବାକୁ ମନା କରି ଦେଇଥିଲେ । କିଛି ଡିଷ୍ଟ୍ରିବ୍ୟୁଟର ପଏଣ୍ଟରେ ଏୟାରସେଲ ଓଡ଼ିଶାର କିଛି ଟଙ୍କା ବାକି ରହିଥିବା କାରଣରୁ ନେଟଓ୍ଵର୍କକୁ କାଟି ଦିଆଯାଇଥିବା କହିଥିଲେ । ମାତ୍ର କେତେ ପରିମାଣର ଟଙ୍କା ଓ କାହାର ପାଖରେ ବାକି ରହିଛି ତାହାର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ ।