କିଛି ସମୟ ପରେ ଭାରତରେ ପହଁଞ୍ଚିବେ ଆମେରିକା ରାଷ୍ଟ୍ରପତି: ଅହମ୍ମଦାବାଦରେ ପହଁଞ୍ଚିବା ପୂର୍ବରୁ ହିନ୍ଦୀରେ ଟ୍ରମ୍ପଙ୍କ ଟୁଇଟ୍; ଭାରତ ଆସିବାକୁ ତତ୍ପର, ଆମେ ରାସ୍ତାରେ ଅଛୁ

ସେପଟେ ଟ୍ରମ୍ପ ପରିବାରଙ୍କ ସ୍ୱାଗତ ପାଇଁ ଅହମ୍ମଦାବାଦ ଏୟାରପୋର୍ଟରେ ପହଂଚିଲେ ମୋଦି

201

କନକ ବ୍ୟୁରୋ: କିଛି ସମୟ ପରେ ପରିବାର ସହ ଭାରତରେ ପହଁଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପହଁଚିବା ପୂର୍ବରୁ ହିନ୍ଦୀରେ ଟୁଇଟ୍ କଲେ ଟ୍ରମ୍ପ । କହିଲେ, ଭାରତ ଆସିବାକୁ ତତ୍ପର । ରାସ୍ତାରେ ଅଛନ୍ତି, କିଛି ସମୟ ପରେ ଭାରତରେ ପହଁଚିବେ । ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ଟ୍ରମ୍ପ । ନମସ୍ତେ ଟ୍ରମ୍ପ ଠାରୁ ତାଜମହଲ ପରିଦର୍ଶନ ଭଳି ବ୍ୟସ୍ତବହୁଳ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ରାଷ୍ଟ୍ରପତି ଦମ୍ପତି, ଆଜି ଅହମ୍ମଦାବାଦ ବିମାନବନ୍ଦରରେ ଦିନ ୧୧ଟା ୪୦ରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

ମଧ୍ୟାହ୍ନ ୧୨ଟା ୧୫ରେ ଟ୍ରମ୍ପ ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ପହଁଚିବେ । ତାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ୨୨ କିମି ଲମ୍ବା ରୋଡ୍ ସୋ କରିବେ । ଅପରାହ୍ନ ଗୋଟାଏ ୫ରେ ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଗସ୍ତ ପାଇଁ ପୁରା ଅହମ୍ମଦାବାଦ ସହରକୁ ସଜେଇ ଦିଆଯାଇଛି । ସନ୍ଧ୍ୟାରେ ପତ୍ନୀ ମେଲାନିଆ ଓ ଝିଅ ଇଭାଙ୍କାଙ୍କ ସହ ଆଗ୍ରାର ତାଜମହଲ ପରିଦର୍ଶନରେ ଯିବେ ଟ୍ରମ୍ପ । ଅନ୍ୟପଟେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ ଅହମ୍ମଦାବାଦରେ ପହଁଚିଛନ୍ତି ।

ବିମାନବନ୍ଦରରେ ଆମେରିକାର ପ୍ରଥମ ପରିବାରକୁ ସ୍ୱାଗତ କରିବେ ମୋଦି । ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ମୋଦି ଟ୍ୱିଟ କରି କହିଛନ୍ତି ଟ୍ରମ୍ପଙ୍କ ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ବଢାଇବ । ଏହି ଗସ୍ତ ଉଭୟ ଆମେରିକା ଓ ଭାରତ ପାଇଁ ଗୁରୁତ୍ୱୂବହନ କରୁଛି । କାରଣ ଆଗକୁ ଆସିଛି ଆମେରିକା ନିର୍ବାଚନ । ଏବଂ ଏପଟେ ଭାରତରେ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ବିରୋଧ ବଢୁଥିବା ବେଳେ ଆମେରିକାର ସହ ବନ୍ଧୁତା ସରକାରଙ୍କ ପାଇଁ ଗୁୁରୁତ୍ୱପୂର୍ଣ୍ଣ ରହିବ ।

ଅନ୍ୟପଟେ, ଅହମ୍ମଦାବାଦରେ ଟ୍ରମ୍ପଙ୍କ ଆଜି ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଦେଶସାରା ଉତ୍ସାହ ରହିଛି । ଅହମ୍ମଦାବାଦ ସଜେଇ ହୋଇ ରହିଛି । ଅହମ୍ମଦାବାଦରେ ପଂହଚିବା ପରେ ମୋଦି ଟ୍ରମ୍ପଙ୍କୁ ସ୍ୱାଗତ କରିବେ । ଏହା ପରେ ସାବରମତୀ ଆଶ୍ରମ ଯାଏଁ ରୋଡ ଶୋ ହେବ । ସାବରମତୀ ଆଶ୍ରମରେ ସେ ମଧ୍ୟାହ୍ନଭୋଜନ କରିବେ । ଏଥିପାଇଁ ମେନ୍ୟୁରେ ସୁସ୍ୱାଦ ଖାଦ୍ୟ ରହିଛି । ଏହାପରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିରେ ମୋଦି ବି ସାମିଲ ହେବେ ।