ଫସଲରେ ନିଆଁ ନଲଗାଇବାକୁ ଚାଷୀଙ୍କୁ କୃଷି ମନ୍ତ୍ରୀଙ୍କ ଅନୁରୋଧ ! କହିଲେ, ଲକ୍ଷ୍ମୀଙ୍କ ଦେହରେ ନିଆଁ ଲଗାଇଲେ ହୋଇଯିବ ଲକ୍ଷ୍ମୀଛଡା

31

କନକ ବ୍ୟୁରୋ: ଫସଲରେ ନିଆଁ ନଲଗାଇବାକୁ ଚାଷୀଙ୍କୁ କୃଷି ମନ୍ତ୍ରୀ ଦାମୋଦର ରାଉତ ଅନୁରୋଧ କରିଛନ୍ତି । ଲକ୍ଷ୍ମୀଙ୍କ ଦେହରେ ନିଆଁ ଲଗାଇଲେ ଲକ୍ଷ୍ମୀଛଡା ହୋଇଯିବା ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଆସନ୍ତାକାଲି ବିଶେଷଜ୍ଞ ଟିମ ଫେରିଲେ ରିପୋର୍ଟ ଉପରେ ତର୍ଜମା କରାଯିବ । ୩୩ ପ୍ରତିଶତରୁ ଅଧିକ କ୍ଷୟକ୍ଷତି ହେଲେସହାୟତା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ବରଗଡ କଳାପାଣିରେ ପହଂଚିଛି ବିଜେପି ଟିମ । ମୃତ ଚାଷୀ ବୃନ୍ଦା ସାହୁଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ଦଳ ବରଗଡ ଯାଇଛନ୍ତି । ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ ଏହାସହ ଚାଷୀଙ୍କୁ ଆବ୍ୟଶକ ପରିମାଣର କ୍ଷତିପୂରଣ ଦେବାକୁ ବିଜେପି ଦାବି କରିଛି । ବୃନ୍ଦାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଉ ଏବଂ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଅନ୍ତୁ ବୋଲି ବସନ୍ତ ପଣ୍ଡା ଦାବି କରିଛନ୍ତି ।

ସେହିପରି, ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରକୁ ଭେଟିଛନ୍ତି ଆମ ଓଡିଶା ଅଧ୍ୟକ୍ଷ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ । ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଛନ୍ତି ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟ ରଂଜନ ପଟ୍ଟନାୟକ ଓ ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର । ଉଭୟେ କଳାପାଣି ଅଂଚଳରେ ଚାଷୀଙ୍କୁ ଭେଟି ସମସ୍ୟା ବାବଦରେ ପଚାରି ବୁଝିଛନ୍ତି । ଚାଷୀ ପରିବାରଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ସୌମ୍ୟ ରଂଜନ କହିଛନ୍ତି, ଏହା ଏକ ସ୍ପର୍ଶ କାତର ବିଷୟ । ୪୮ ଘଂଟାର ତଦନ୍ତ ରିପୋର୍ଟକୁ ଅପେକ୍ଷା ନକରି କୃଷିମନ୍ତ୍ରୀ ନିଜେ ଘଟଣାସ୍ଥଳକୁ ଆସନ୍ତୁ ଆଉ ଚାଷୀର ଦୁଃଖ, ସମସ୍ୟା ବୁଝନ୍ତୁ ।

soumya pattnaikବିଜେପୁର ଉପନିର୍ବାଚନକୁ ନଜରରେ ରଖି ଚାଷୀ ସମସ୍ୟାକୁ ନେଇ ରାଜନୀତି କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଭାଗଚାଷୀଙ୍କ ସମସ୍ୟାକୁ ଗୁରୁତର ସହ ନେଇ ଖୁବ୍ ଶୀଘ୍ର ସାମଧାନ କରାଯାଉ ଚାଷୀଙ୍କୁ ନେଇ ରାଜନୀତି କରାନଯାଉବୋଲି କହିଛନ୍ତି ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟ ରଂଜନ ପଟ୍ଟନାୟକ । ସେପଟେ ଆସନ୍ତା ୨୩ ତାରିଖରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି ନବ ନିର୍ମାଣ କୃଷକ ସଂଗଠନ ।

ଅନ୍ୟପଟେ ନବ ନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଯାହା ଜଳ ଜଳ ଦେଖାଯାଉଛି, ତାର ତଦନ୍ତର ଆବଶ୍ୟକତା କଣ ରହିଛି । ଏପରି ତଦନ୍ତ ପ୍ରସହନ ବନ୍ଦ କରି କୃଷିମନ୍ତ୍ରୀ ଘଟଣାସ୍ଥଳକୁ ଆସନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରୀୟ ସଂଯୋଜକ । ଏହାର ଦୃଢ ଜବାବ ଦେବାକୁ ଚାଷୀ ଏକଜୁଟ ହେଉଛି, ଆଗକୁ ଦୃଢ ଜବାବ ଦିଆଯିବ ବୋଲି ଅକ୍ଷୟ କୁମାର କହିଛନ୍ତି ।