ବନ୍ୟପ୍ରାଣୀଙ୍କ ଯୋଗୁଁ ଫସଲ କ୍ଷୟକ୍ଷତି ହେଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ! ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କଲା କେନ୍ଦ୍ର

123

କନକ ବ୍ୟୁରୋ : ଏଣିକି ହାତୀ ଓ ବିଭିନ୍ନ ବନ୍ୟପ୍ରାଣୀଙ୍କ ଯୋଗୁଁ ଧାନ ଓ ବିଭିନ୍ନ ଫସଲ କ୍ଷୟକ୍ଷତି ପାଇଁ ଚାଷୀଙ୍କୁ କ୍ଷତିପୂରଣ ମିଳିବ । ଏଥିପାଇଁ ରାଜ୍ୟ ସରକାରଙ୍କ କୃଷି ବିଭାଗ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। କେବଳ ସେତିକି ନୁହେଁ, ସେ ନେଇ ମାର୍ଗଦର୍ଶିକା ମଧ୍ୟ ପରିବର୍ତନ କରିଛନ୍ତି । ପରିବର୍ତିତ ମାଗର୍ଦର୍ଶିକ‌ାରେ ବନ୍ୟପ୍ରାଣୀଙ୍କ ଯୋଗୁଁ ଫସଲର କ୍ଷୟକ୍ଷତି ପାଇଁ ବୀମା କ୍ଷତିପୂରଣର ବ୍ୟବସ୍ଥା କରାଯାଇଛି । ଏହି ସୁଖବର ରାଜ୍ୟର ଚାଷୀମାନଙ୍କ ପାଇଁ ଆଣିଛି ଘୋର ଆଶ୍ବସ୍ତି ।

ସୂଚନା ଅନୁଯାୟୀ ଆଗାମୀ ରବି ଋତୁ(୨୦୧୮-୧୯)ରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏହା ଅନ୍ତର୍ଭୁକ୍ତ କରାଯିବ । ପ୍ରଥମ ପର‌୍ୟ୍ୟାୟରେ ଆପାତତଃ ୪ଟି ଜିଲ୍ଲାରେ ଏହା ପାଇଲଟ୍‌ ପ୍ରକଳ୍ପ ଭାବେ କାର‌୍ୟ୍ୟକାରୀ କରାଯିବ । ପରେ ଅବଶିଷ୍ଟ ସବୁ ଜିଲ୍ଲା ସାମିଲ ହେବ । ବିଜ୍ଞପିତ ଫସଲ ଯଥା: ଧାନ, ତୈଳବୀଜ, ଡାଲିଜାତୀୟ, ମିଲେଟ୍‌ ଶସ୍ୟ ସହିତ ଉଦ୍ୟାନ କୃଷି ଫସଲ ନିମନ୍ତେ ଏହା ଲାଗୁ ହେବ ।

ଏ ନେଇ ରାଜ୍ୟ ସରକାର କେନ୍ଦ୍ର ପରିବେଶ ଓ ଜଙ୍ଗଲ ଏବଂ ଜିଆଇସି ସହିତ ପରାମର୍ଶ କରି କାର‌୍ୟ୍ୟକାରୀ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ଅବଶ୍ୟ ଏଥିପାଇଁ ବର୍ଧିତ ବୀମା ପ୍ରିମିୟମ୍‌ ରାଜ୍ୟ ସରକାର ବହନ କରିବେ । ତେବେ ଏହା ସମସ୍ତ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ କରାଯିବ ନାହିଁ। ଇତି ମଧ୍ୟରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି । ଆସନ୍ତା ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ରବି ଫସଲ ବୀମା ପଞ୍ଜୀକରଣ କରାଯିବ । ଏ ନେଇ ରାଜ୍ୟରେ ବୀମା ପଞ୍ଜୀକରଣ ଆରମ୍ଭ ହୋଇସାରିଛି ।

ଓଡ଼ିଶା‌ ସମେତ ବିଭିନ୍ନ ରାଜ୍ୟରେ ମୁଖ୍ୟତଃ ହାତୀ, ବାର୍‌ହା, ହରିଣ ଆଦି ବନ୍ୟଜନ୍ତୁ ଫସଲ ଖାଇ ଉଜାଡ଼ି ଦେଇଥାନ୍ତି । ରାଜ୍ୟର କିଛି ଜିଲ୍ଲାରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ଏପରି କି ପ୍ରାୟ ୫୦ ପ୍ରତିଶତ ଧାନ ଶସ୍ୟ ଧ୍ବଂସ ହୋଇଥାଏ ବୋଲି ଆକଳନ ହୋଇଛି । ଜଙ୍ଗଲକୁ ଲାଗି ରହିଥିବା ଗାଁଗୁଡ଼ିକରେ ବାର୍‌ହାଙ୍କର ଉତ୍ପାତ କିଛି କମ୍‌ ନୁହେଁ । ବିଶେଷ କରି ଶୀତଦିନେ ଧାନ ପାଚିଲା ବେଳକୁ ହାତୀଗୁଡ଼ିକ ଦଳ ଦଳ ହୋଇ ଫସଲ ଖାଇ ଉଜାଡ଼ି ଦେଇଥାନ୍ତି । ଏହି ବର୍ଷ ମଧ୍ୟ ହାତୀଙ୍କ ଯୋଗୁଁ ବିଭିନ୍ନ ଜିଲ୍ଲାରେ ଫସଲ କ୍ଷୟକ୍ଷତି ହେବାରେ ଲାଗିଛି । ଫସଲ ଧ୍ବଂସ ହେଲେ ବିଚରା ଚାଷୀ ଅସହାୟ ହୋଇପଡ଼େ । ଅବଶ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ଯୋଗୁଁ ଫସଲ କ୍ଷୟକ୍ଷତି ନିମନ୍ତେ କିଛି ସହାୟତା ପ୍ରଦାନ କରାଯାଏ । କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ।

ଚାଷୀଙ୍କ ଅସହାୟତାକୁ ବିଚାରକୁ ନେଇ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବନ୍ୟପ୍ରାଣୀ ଆକ୍ରମଣରେ ଫସଲ କ୍ଷୟକ୍ଷତି ନିମନ୍ତେ ବୀମା କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା କରିବାକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ସରକାର ଏହାକୁ ଗ୍ରହଣ କରି ଚଳିତ ରବି ଋତୁରୁ ପାଇଲଟ୍‌ ପ୍ରକଳ୍ପ ଭାବେ କାର‌୍ୟ୍ୟକାରୀ କରାଯିବ ବୋଲି ଚୂଡ଼ାନ୍ତ କରିଛନ୍ତିି । ଏ ନେଇ ମାଗର୍ଦର୍ଶିକ‌ା ପରିବର୍ତନ କରାଯାଇ ବନ୍ୟପ୍ରାଣୀ ଜନିତ ଫସଲ କ୍ଷୟକ୍ଷତିକୁ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । କିନ୍ତୁ ଏହାର ଖର୍ଚ ଭାର ରାଜ୍ୟ ସରକାରଙ୍କ ଉପରେ ଲଦିଛନ୍ତି କେନ୍ଦ୍ର ସରକାର ।

ରାଜ୍ୟ ସରକାର ଚଳିତ ରବି ଋତୁରେ ଏହା କାର୍ଯ୍ୟକାରୀ କରି‌ବାକୁ ଯାଉଛନ୍ତିି । ତେବେ ପାଇଲଟ୍‌ ପ୍ରକଳ୍ପ ଭାବେ ବନ୍ୟପ୍ରାଣୀଙ୍କ ଦ୍ବାରା ପ୍ରଭାବିତ ହେଉଥିବା ୪ଟି ଜିଲ୍ଲାରେ ଏହାର ଆରମ୍ଭ ହୋଇପାରେ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି । ଆଗାମୀ କିଛିଦିନ ଭିତରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।