କମିଲା ଦେଶରେ ବିକାଶର ଗତି ! ତଥାପି ପଛରେ ପଡ଼ିଲା ଚୀନ୍

88

କନକ ବ୍ୟୁରୋ : ଦେଶରେ ବିକାଶର ଗତି କମିଯାଇଛି । ଚଳିତ ଆର୍ଥିକ ବର୍ଷ (୨୦୧୮-୧୯)ରେ ଦେଶର ଅଭିବୃଦ୍ଧି ହାର ୮.୨% ଥିଲା । ଦ୍ବିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ତାହା ୭.୧%କୁ ଖସିଯାଇଛି । ଖଣି କ୍ଷେତ୍ରର ପ୍ରଦର୍ଶନ ନୈରାଶ୍ୟଜନକ ରହିବା ଯୋଗୁ ଦେଶର ବିକାଶ ଗତି ବାଧାପ୍ରାପ୍ତ ହୋଇଛି । ଅଭିବୃଦ୍ଧି ହାର କମିଥିଲେ ମଧ୍ୟ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତାକୁ ଭାରତ ବଜାୟ ରଖିଛି । କାରଣ, ୬.୫% ଅଭିବୃଦ୍ଧି ସହ ଚୀନ୍‌ ଏବେବି ଭାରତ ଠାରୁ ପଛୁଆ ରହିଛି । କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ) ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, କୃଷି ଅଭିବୃଦ୍ଧି ୩.୮%କୁ ଖସିଯାଇଛି ଯାହା ପୂର୍ବ ତ୍ରୟମାସରେ ୫.୩% ଥିଲା ।

ଅଭିବୃଦ୍ଧିରେ ଦେଖାଦେଇଥିବା ହ୍ରାସ ପାଇଁ କିଛି ଅର୍ଥନୀତି ବିଶାରଦ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)ର ନଗଦ ସଙ୍କଟକୁ ଦାୟୀ କରୁଛନ୍ତି । ସେମାନେ କହିଛନ୍ତି ଯେ, ଏନ୍‌ବିଏଫ୍‌ସିରେ ନଗଦ ସଙ୍କଟ ରହିବା ଯୋଗୁ ପୁଞ୍ଜିନିବେଶ ପ୍ରଭାବିତ ହୋଇଛି । ଅନ୍ୟ ଏକ ବର୍ଗର ଅର୍ଥନୀତିଜ୍ଞମାନେ କହୁଛନ୍ତି ଯେ, ଗ୍ରାହକମାନେ କମ୍ କିଣାକିଣି କରିଥିବାରୁ ଅଭିବୃଦ୍ଧି ହାର କମିଯାଇଛି ।

ତେବେ, ସିଏସ୍‌ଓ ତଥ୍ୟ କହୁଛି ଯେ, ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବରରେ କୃଷି କ୍ଷେତ୍ର ୫.୩%, ମାନୁଫାକ୍‌ଚରିଂ ୭.୪% ଖଣି ବିଯୁକ୍ତାତ୍ମକ ୨.୪% ଓ ନିର୍ମାଣ କ୍ଷେତ୍ର ୮.୭% ଅଭିବୃଦ୍ଧି ହାସଲ କରିଛି । ବିଦ୍ୟୁତ, ଗ୍ୟାସ୍, ଜଳ ଯୋଗାଣ ଓ ଅନ୍ୟାନ୍ୟ ୟୁଟିଲିଟି ସେବା କ୍ଷେତ୍ର ୯.୨% ଅଭିବୃଦ୍ଧି ହାସଲ କରିଛି । ସେହି ସମୟରେ ହୋଟେଲ୍‌, ବାଣିଜ୍ୟ, ପରିବହନ ଓ ଯୋଗାଯୋଗ କ୍ଷେତ୍ରର ଅଭିବୃଦ୍ଧି ସାମାନ୍ୟ କମିଛି ।

ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପରିମାଣ ଟଙ୍କାରେ ହିସାବ କଲେ ୩୩ ଲକ୍ଷ ୯୮ ହଜାର କୋଟି ଟଙ୍କା ହେଉଛି ଯାହାର ବର୍ଷକ ପୂର୍ବରୁ ୩୧ ଲକ୍ଷ ୭୨ ହଜାର କୋଟି ଟଙ୍କା ଥିଲା । କିନ୍ତୁ, ୨୦୧୧-୧୨ର ମୂଲ୍ୟକୁ ନେଇ ହିସାବ କଲେ ମୋଟ ମୂଲ୍ୟ ଯୁକ୍ତ (ଜିଭିଏ) ପରିମାଣ ୩୧ ଲକ୍ଷ ୪୦ ହଜାର କୋଟି ଟଙ୍କା ହେଉଛି । ବର୍ଷକ ପୂର୍ବରୁ ତାହାର ପରିମାଣ ୨୯.୩୮ ଲକ୍ଷ କୋଟି ଟଙ୍କା ଥିଲା । ଉଲ୍ଳେଖଯୋଗ୍ୟ, ଜିଡିପିର ନୂଆ ହିସାବ ଅନୁସାରେ ସାଧାରଣ ଜିଡିପି ତଥ୍ୟ ସହିତ ଜିଭିଏ ତଥ୍ୟ ମଧ୍ୟ ଜାରି କରାଯାଉଛି ।